ଦୀପାବଳି ଦିନ ୨ ସଡକ ଦୁର୍ଘଟଣା, ୪ ମୃତ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ ଆଲୋକର ପର୍ବ ଦୀପାବଳି ହର୍ଷୋଲ୍ଲାସର ସହିତ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବ୍ଳକ୍‍ ରେଙ୍ଗାଲି ଥାନା ଗଣେଶନଗର ଏବଂ କତରବଗା ଥାନା ଗୁମଲୋଇ ପାଖରେ ୪ ତାରିଖ ଗୁରୁବାର ଦିନ ଦୁଇଟି ପୃଥକ୍‍ ସଡକ ଦୁର୍ଘଟଣା ଘଟି ୪ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ଗୁରୁବାର ରାତି ପ୍ରାୟ ସାଢେ ୮ଟା ସମୟରେ ଗଣେଶନଗର ପାଖ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ହାଇଡ୍ରା ଟ୍ରକ୍‍ର ପଛପଟେ ରେଙ୍ଗାଲିରୁ ଝାରସଗୁଡା ଅଭିମୁଖେ ଆସୁଥିବା ବାଇକ୍‍ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ୩ ଜଣ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଘଟଣାସ୍ଥଳରୁ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସରେ ନେଇ ଦୁଇ ଜଣଙ୍କୁ ବୁର୍ଲା ଏବଂ ଜଣେ ଆହତଙ୍କୁ ସମ୍ବଲପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ୩ଜଣ ଆହତଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ। ମୃତକମାନେ ହେଲେ ସୁନ୍ଦରଗଡ ଜିଲ୍ଲା ଗୁରିଆମୁଣ୍ଡା ଗ୍ରାମ ମୁକୁଶ ମାଝି ଏବଂ ଝାଡଖଣ୍ଡ ପ୍ରଦେଶ ରାମଗଡ ଜିଲ୍ଲା ବେଦିଆପେଲା ଗ୍ରାମର ବସନ୍ତ ବେଦିଆ ଓ ଝାଡଖଣ୍ଡ ଭାନିଆଁ ଜିଲ୍ଲା ତେଲବାଙ୍କି ଗ୍ରାମର ଶ୍ୟାମସୁନ୍ଦର ସିଂ ବୋଲି ରେଙ୍ଗାଲି ଆଇଆଇସି ଧବଲେଶ୍ୱର ସାହୁ କହିଛନ୍ତି। ଏସଂକ୍ରାନ୍ତରେ ଏକ ମାମଲା ଋଜ୍ଜୁ କରି ତଦନ୍ତ ଜାରି ରହିଛି।

ଅପର ପକ୍ଷରେ କତରବଗା ଥାନା ଅନ୍ତର୍ଗତ ଗୁମଲୋଇ ପାଖ ରେ ୪ତାରିଖ ଗୁରୁବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ରମେଶ ଦୋରା( ୨୮) ଜନୈକ ବାଇକ୍‍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ବୋଲି କତରବଗା ଆଇଆଇସି ପ୍ରତାପ କୁମାର ରଣା କହିଛନ୍ତି। ମୃତ ଯୁବକ ଜଣକ ସମ୍ବଲପୁର ସିଟି ଷ୍ଟେସନ୍‍ ପାଖ ଝାଙ୍କରପଡାର ବାସିନ୍ଦା ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଏକ ମାମଲା ଋଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି।

Comments are closed.