ଛିଡ଼ିଗଲା ମଲ୍ଲିଫୁଲ ଗଜରା… ଚାଲିଗଲେ ଦୀପା

ସଂକ୍ଷେପରେ ଦୀପା..

ନାମ: ଦୀପା ସାହୁ
ସ୍ବାମୀ: ମନୀନ୍ଦ୍ରନାଥ ଦତ୍ତ

ଜନ୍ମ: ୨୫ ଅକ୍ଟୋବର ୧୯୮୫
ଠିକଣା: ଢେଙ୍କାନାଳ

ଭୁବନେଶ୍ୱର: ଆରପାରିରେ ଆଲ୍‌ବମ୍ ଅଭିନେତ୍ରୀ ଦୀପା ସାହୁ। ଓଡ଼ିଆ ଆଲ୍‌ବମ୍‌ କୁଇନ୍‌ ଦୀପା ସାହୁ। ଓଡ଼ିଶୀ ନୃତ୍ୟ ପରେ ‘ମେଡ୍‌ ଇନ୍‌ ଓଡ଼ିଶା’ ଜରିଆରେ ଓଡ଼ିଆ ଆଲ୍‌ବମ୍‌ ଦୁନିଆରେ ପ୍ରବେଶ କରିଥିଲେ ଏବଂ ଧୁମ୍‌ ମଚାଇଥିଲେ। ଖୁବ୍‌ କମ୍‌ ଦିନରେ ଦର୍ଶକଙ୍କ ଜିଣିନେଇଥିଲେ ସେ। ଶତାଧିକ ଆଲ୍‌ବମ୍‌ରେ ଅଭିନୟ କରିବା ସହ ଓଡ଼ିଆ ସିନେମା ଓ ଧାରାବାହିକରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ। ଓଡ଼ିଆ ମ୍ୟୁଜିକ୍‌ ଆଲ୍‌ବମ୍‌ ଏବଂ ସମ୍ବଲପୁରୀ ମ୍ୟୁଜିକ୍‌ ଆଲ୍‌ବମ୍‌ରେ ତାଙ୍କ ନୃତ୍ୟଗୀତର ଯାଦୁ ଦେଖିବାକୁ ମିଳିଥିଲା। ଆଲ୍‌ବମ୍‌ ମ୍ୟୁଜିକ୍‌ର ଶୀର୍ଷରେ ପହଞ୍ଚିଥିବା ଦୀପା ସାହୁ ‘ଆଲ୍‌ବମ୍‌ କୁଇନ୍‌’ ଭାବେ ପରିଚିତ ଥିଲେ।
ଅଭିନେତ୍ରୀ ଦୀପା ସାହୁ ବର୍ଷେ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। ସେ କ୍ୟାନସରର ଥାର୍ଡ ଷ୍ଟେଜ୍‌ରେ ପାଇଁ ଚିକିତ୍ସିତ ହେଉଥିଲେ ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ଜୁନ ଗତ ୨୦ତାରିଖ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ମଧ୍ୟ ସେ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ। ତେବେ କରୋନା କଟକଣା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ହେବାରୁ ତାଙ୍କ ପାଇଁ ମୁମ୍ବାଇ ଯିବା ସମ୍ଭବ ହୋଇ ନ ଥିଲା।  ସେ ତାଙ୍କର ଭୁବନେଶ୍ବରର ନୀଳାଦ୍ରିବିହାରସ୍ଥିତ ଘରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଭିନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କ ସହଯୋଗରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସେ ଭୁବନେଶ୍ୱର ସ୍ପର୍ଶ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାମୀ ମନୀନ୍ଦ୍ରନାଥ ଦତ୍ତ ସୂଚନା ଦେଇଛନ୍ତି।

ଢେଙ୍କାନାଳ ସହରରେ ୨୫ ଅକ୍ଟୋବର ୧୯୮୫​‌ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଦୀପା ସାହୁ। ସେ ସରକାରୀ ମହିଳା ଜୁନିୟର କଲେଜ ଉତ୍ତୀର୍ଣ୍ଣ ହୋଇଥିଲେ। ଓଡ଼ିଶାୀ ନାଚରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଦୀପା। ଏହାପରେ ୨୦୦୨ ମସିହାରେ ଦୀପା ‘ମେଡ୍‌ ଇନ୍‌ ଓଡ଼ିଶା’ ଜରିଆରେ ଗ୍ଲାମର ଦୁନିଆକୁ ଆସିଥିଲେ। ସେତେବେଳ ଆଲବମ ଓଡ଼ିଆ ଦର୍ଶକଙ୍କ ପାଇଁ ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ପାଲଟିଥିଲା ଏବଂ ଦୀପା ସାହୁଙ୍କ ମ୍ୟୁଜିକ୍‌ ଆଲ୍‌ବମ୍‌ ଘରେ ଘରେ ପରିଚିତ ଥିଲେ। ଦୀପାଙ୍କ ହସଠୁ ଆରମ୍ଭ କରି ନୃତ୍ୟସଙ୍ଗୀତ ଓ ଅଭିନୟ ଶୈଳୀ ଦର୍ଶକଙ୍କୁ ମତୁଆଲା କରିଥିଲା। ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି..’, ‘ହାଏ ହାଏ ତୋ ମଲ୍ଲି ଫୁଲ ଗଜରା.., ତୋର ଟଣା ଟଣା ଆଖି’, ‘ଏକଡ଼ା ଏକଡ଼ା ରା, ‘ମତେ ଧୀରେ ଧୀରେ ଝଟ୍‌କା’ ଓ ‘ଝିଅ ମୁଁ ମେଡଇନ୍ ଓଡ଼ିଶା..’ ଭଳି ହିଟ୍‌ ଗୀତରେ ଅଭିନୟ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ ଦୀପା ସାହୁ। ସେତେବେଳେ ଓଡ଼ିଆ ଚଳଚ୍ଚିତ୍ର ଜଗତର ହିଟ୍‌ ହିରୋଇନ୍‌ଙ୍କୁ ପଛରେ ପକାଇ ଦେଇଥିଲେ ଦୀପା ସାହୁ। ଟେଲିଭିଜନ୍‌ ପରଦା ହେଉ କିମ୍ବା ମେଲୋଡ଼ି ପାର୍ଟି, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସବୁଠି ଦୀପାଙ୍କ ନୃତ୍ୟଗୀତର ଆଧିପତ୍ୟ ଦେଖିବାକୁ ମିଳୁଥିଲା। କେଉଁଠି ସେ ନିଜେ ନୃତ୍ୟ କରୁଥିଲେ, ଆଉ କେଉଁଠି ତାଙ୍କ ଅଭିନୀତ ମ୍ୟୁଜିକ୍‌ ଆଲ୍‌ବମ୍‌ ପରିବେଷିତ ହୋଇଥିଲା, ଯାହା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବାରେ ସହାୟକ ହୋଇଥିଲା। ଦୀପା ସାହୁ କେବଳ ଓଡ଼ିଆ ମ୍ୟୁଜିକ୍‌ ଆଲ୍‌ବମ୍‌ରେ ସିମୀତ ନ ଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ନାରୀ ଆଖିରେ ନିଆଁ’, ‘ସୁନା ଚେଇ ମୋ ରୂପା ଚଢ଼େଇ’ ଓ ‘କଲେଜ୍‌ ଟାଇମ୍’ରେ ସହିତ ‘ବଡ଼ଘର ବଡ଼ ଗୁମର କଥା’ ଧାରାବାହିକରେ ଦୀପାଙ୍କର ଜୀବନ୍ତ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କୁ ବିଭୋର କରିଥିଲା।

ମନୀନ୍ଦ୍ରନାଥ ଦତ୍ତଙ୍କୁ ଅଭିନେତ୍ରୀ ଦୀପା ସାହୁ ବିବାହ କରିଥିଲେ ଏବଂ ତାଙ୍କର ଏକ ୧୨ ବର୍ଷର ଏକ ଛୋଟ ଝିଅ ରହିଛି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲ୍‌ବମ୍‌ ଅଭିନେତ୍ରୀ ଦୀପା ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ବିଶେଷତଃ ଓଡ଼ିଆ ଆଲବମ୍ ଜଗତରେ ସେ ତାଙ୍କ କଳାର ନିଖୁଣ ଛାପ ଦ୍ୱାରା ଅନେକ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ଆଲବମ୍ ଜଗତରେ ଅପୂରଣୀୟ କ୍ଷତି ଘଟିଲା । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖ ସମୟରେ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ।

 

Comments are closed.