ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ କେବଳ ଦୀପ୍‌ ଗ୍ରେସ

ନୂଆଦିଲ୍ଲୀ  : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୮ପର୍ଯ୍ୟନ୍ତ ଆୟୋଜିତ ହେବ।ଏଥିରେ ଅଂଶଗ୍ରହଣ କରିବା ଲାଗି ହକି ଇଣ୍ଡିଆ ପକ୍ଷରୁ ୧୮ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଆହତ ପାଇଁ ରାଣୀ ରାମପାଲ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିନଥିବାବେଳେ ସବିତା ପୁନିଆ ଅଧିନାୟିକା ଓ ଦୀପ୍‌ଗ୍ରେସ ଏକ୍କା ଉପ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଜୁଲାଇ ୧ରୁ ୧୭ ପର୍ଯ୍ୟନ୍ତ ନେଦରଲାଣ୍ଡ୍‌ସ ଓ ସ୍ପେନର ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ ଖେଳାଯିବ। ଏହା ପରେ ଭାରତୀୟ ମହିଳା ହକି ଦଳ ସିଧା ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବ। ବିଶ୍ବକପ ପାଇଁ ଘୋଷିତ ଦଳ ଓ ରାାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଘୋଷିତ ଦଳ ମଧ୍ୟରେ ୨ଟି ପରିବର୍ତ୍ତନ ହୋଇଛି। ଗୋଲରକ୍ଷକ ବିଚୁ ଦେବୀ ଖାରିବାମ ଓ ସୋନିକା ବିଶ୍ବକପ ଦଳରେ ରହିଥିବାବେଳେ ରାଜ୍ୟଗୋଷ୍ଠୀ ଦଳରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ ରଜନୀ ଇଥିମାରୁପ ଓ ସଙ୍ଗୀତା କୁମାରୀଙ୍କୁ ରାଜ୍ୟଗୋଷ୍ଠୀ ଦଳରେ ସାମିଲ କରାଯାଇଛି। ଟୋକିଓ ଅଲିମ୍ପିକ୍‌ସ ପରେ ଆହତ ହୋଇଥିବା ରାଣୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ବିଶ୍ବକପ ଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ମଧ୍ୟ ବାଦ୍‌ ପଡିଛନ୍ତି। ଅନ୍ୟପକ୍ଷରେ ଦଳରେ ଏକମାତ୍ର ଓଡ଼ିଆ ଭାବେ ଦୀପଗ୍ରେସ ଏକ୍କାଙ୍କୁ ସ୍ଥାନ ମିଳିିଛି। ବିଶ୍ବକପ ଭଳି ରାଜ୍ୟଗୋଷ୍ଠୀ ଦଳରେ ମଧ୍ୟ ଜଣେ ଓଡ଼ିଆଙ୍କୁ ସ୍ଥାନ ମିଳିଛି। ନମିତା ଟପ୍ପୋ, ରଶ୍ମିତା ମିଞ୍ଜ ଓ ମାରିଆନା କୁଜୁରଙ୍କୁ ପୁଣି ଉପେକ୍ଷା କରାଯାଇଛି। ଭାରତ ପୁଲ-ଏ ରେ ଇଂଲଣ୍ଡ, ୱେଲ୍‌ସ, ଘାନା ଓ କାନାଡା ସହ ସ୍ଥାନ ପାଇଛି। ଦଳ ୨୯ ଜୁଲାଇରେ ଘାନା ସହ ଖେଳି ଅଭିଯାନ ଆରମ୍ଭ କରିବ। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ଇଂଲଣ୍ଡ ନିକଟରୁ ହାରି ୪ର୍ଥ ସ୍ଥାନ ହାସଲ କରିଥିଲା। ଯାହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳର ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ବିଶ୍ବକପ ଶେଷ ହେବାର ଗୋଟିଏ ଦିନ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିବାକୁ ପଡିବ। ଉଭୟ ଦଳରେ ଅଭିଜ୍ଞ ଓ ଯୁବ ଖେଳାଳି ରହିଛନ୍ତି। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିରେ ଦଳ ଭଲ ପ୍ରଦର୍ଶନ କରିବା ସହ ୩ୟ ସ୍ଥାନ ହାସଲ କରିଛି। ପଦକ ହାସଲ କରିବା ନେଇ ବଡ ସୁଯୋଗ ରହିଛି ବୋଲି ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜାନକେ ସ୍କୋପମ୍ୟାନ କହିଛନ୍ତି।
ଭାରତୀୟ ମହିଳା ହକି ଦଳ : ସବିତା ପୁନିଆ (ଅଧିନାୟିକା), ରଜନୀ ଇଥିମାରୁପ (ଉଭୟେ ଗୋଲରକ୍ଷକ), ଦୀପ୍‌ଗ୍ରେସ ଏକ୍କା (ଉପ ଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା (ସମସ୍ତେ ଡିଫେଣ୍ଡର), ନିଶା, ସୁଶିଳା ଚାନୁ ପୋଖରାବାମ୍‌, ମୋନିକା, ନେହା, ଜ୍ୟୋତି, ନବଜୋତ କୌର, ସାଲିମା ଟେଟେ (ସମସ୍ତେ ମିଡ୍‌ଫିଲଡର), ବନ୍ଦନା କଟାରିଆ, ଲାଲରିମସିଆମି, ନବନୀତ କୌର, ଶର୍ମିଳା ଦେବୀ, ସଙ୍ଗୀତା କୁମାରୀ (ସମସ୍ତେ ଫରୱାର୍ଡ )।

Comments are closed.