ନିଜ ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ଦେବେନ୍ଦ୍ର, ଟୋକିଓ ପାରାଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଭିନ୍ନକ୍ଷମ ଜାଭେଲିନ୍ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ନିଜର ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ନୂଆଦିଲ୍ଲୀରେ ଟୋକିଓ ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଦେବେନ୍ଦ୍ର ୬୫.୭୧ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ। ଫଳରେ ସେ ନିଜେ ୨୦୧୬ ରିଓ ପାରାଲିମ୍ପିକ୍‌ସରେ ୬୩.୯୭ ମିଟରର ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ସୂଚନାଯୋଗ୍ୟ; ୨୦୧୬ ରିଓ ପାରାଲିମ୍ପିକ୍‌ସରେ ଦେବେନ୍ଦ୍ର ଜାଭେଲିନ୍ ସ୍ବର୍ଣ୍ଣପଦକ ଜିତିଥିଲେ। ଏବେ ନୂତନ ବିଶ୍ବରେକର୍ଡ ସ୍ଥାପନକରି ଦେବେନ୍ଦ୍ର ଟୋକିଓ ପାରାଲିମ୍ପିକ୍‌ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅଗଷ୍ଟରେ ଟୋକିଓ ପାରାଲିମ୍ପିକ୍‌ସ ଅନୁଷ୍ଠିତ ହେବ। ଗୁରୁବାର ୪୦ ବର୍ଷ ବୟସ୍କ ରାଜସ୍ଥାନର ଭିନ୍ନକ୍ଷମ ଆଥ୍‌ଲେଟ୍‌ ଦେବେନ୍ଦ୍ର ଝାଝାରିଆ ଏହାକୁ ମିଶାଇ ଜାଭେଲିନ୍ ଥ୍ରୋ’ରେ ୩ ଥର ବିଶ୍ବ କୀର୍ତ୍ତମାନ ସ୍ଥାପନ କରି ସାରିଲେଣି। ସେ ୨୦୦୪ ଏଥେନ୍‌ସ ପାରାଲିମ୍ପିକ୍‌ସ ୬୨.୧୫ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିବା ପୂର୍ବକ ସ୍ବର୍ଣ୍ଣପଦକ ଜିତିଥିଲେ। ଦେବେନ୍ଦ୍ର ୨୦୧୬ ରିଓ ପାରାଲିମ୍ପିକ୍‌ସ ନିଜ ବିଶ୍ବରେକର୍ଡକୁ ଭାଙ୍ଗି ପାରାଲିମ୍ପିକ୍‌ସରେ ବ୍ୟକ୍ତିଗତ ୨ୟ ସ୍ବର୍ଣ୍ଣପଦକ ଜିତିଥିଲେ। ଏବେ ଟୋକିଓ ପାରାଲିମ୍ପିକ୍‌ସ ରେ ସେ ସ୍ବର୍ଣ୍ଣପଦକର ହ୍ୟାଟ୍ରିକ୍ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଗଷ୍ଟ ୨୪ରୁ ଟୋକିଓ ପାରାଲିମ୍ପିକ୍‌ସ ଅନୁଷ୍ଠିତ ହେବ। ୨୦୧୭ରେ ଦେବେନ୍ଦ୍ର ଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପାଇଥିଲେ।

Comments are closed.