ସିଏଏ- ୨୦୧୯ : ଏତେ ବିତର୍କିତ କାହିଁକି ?

ନାଗରିକତ୍ବ ସଂଶୋଧନ ଆଇନ- ୨୦୧୯(ସିଏଏ) ବିରୋଧରେ ଆସାମଠାରୁ କେରଳ ପର୍ଯ୍ୟନ୍ତ ପ୍ରତିବାଦ ଆରମ୍ଭ ହେଲା। ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଏ ଆଇନ ଏତେ ବିତର୍କିତ କାହିଁକି ? ନାଗରିକତା ଆଇନ ତ ବହୁ ପୂର୍ବରୁ ଆମ ସମ୍ବିଧାନରେ ଥିଲା। ତେବେ କ’ଣ ପାଇଁ ଏହା ସାରା ଦେଶରେ ବିତର୍କ ସୃଷ୍ଟି କରିଛି ? ଏପରି ହୋଇଛି ଯେ ଆମ ଦେଶର ନୋବେଲ ବିଜେତାମାନେ ଏହି ସଂଶୋଧନ ଆଇନକୁ ମଧ୍ୟ ବିରୋଧ କରୁଛନ୍ତି।
ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ପରସ୍ପର ସହିତ ଯୋଡ଼ି ହୋଇ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦୁଇଟିଯାକ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବା ପରେ ଏହା ବିରୋଧରେ ଗଣଆନ୍ଦୋଳନ ଦେଖା ଦେଇଛି। ପୁଲିସ୍ ଗୁଳିରେ ଏପର୍ଯ୍ୟନ୍ତ ୨୫ ଜଣ ପ୍ରାଣ ହରାଇ ସାରିଲେଣି। ଏନ୍ଆରସି କ’ଣ? ଏହା ଦେଶରେ କି ଉପାୟରେ ଲାଗୁ କରାଯିବ? ଏହାର ଲାଭକ୍ଷତି କ’ଣ? ଏସବୁ ସମ୍ପର୍କରେ ଲୋକମାନଙ୍କର ବିଶେଷ କିଛି ଧାରଣା ନଥିବାରୁ କେନ୍ଦ୍ର ସରକାର ଏହାକୁ ବିନା ବାଧାରେ ପାରିତ କରାଇ ପାରିଛନ୍ତି, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାକୁ ବିରୋଧ କରାଯିବାରୁ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି. କିଷନ ରେଡି କହିଲେ ଯେ ସାରା ଦେଶରେ ଏନ୍ଆର୍‌ସି ଲାଗୁ କରାଯିବା ପାଇଁ ବିଜ୍ଞପ୍ତି ଜାରି କରାଯାଇନାହିଁ, କିନ୍ତୁ କେନ୍ଦ୍ର ସରକାର ହିନ୍ଦୀ ଓ ଉର୍ଦୁ ସମ୍ବାଦପତ୍ରମାନଙ୍କରେ ଯେଉଁ ବିଜ୍ଞପ୍ତି ଦେଇଛନ୍ତି, ସେଥିରେ କୁହାଯାଇଛି – ‘ଏନ୍ଆରସି ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ, ମାତ୍ର ଏହାକୁ ଭବିଷ୍ୟତରେ କରାଯିବ।’ ଏନ୍ଆରସି ଓ ଏନ୍‌ପିଆର(ଜାତୀୟ ଜନସଂଖ୍ୟା ରେଜିଷ୍ଟାର) ସମ୍ପର୍କ କ’ଣ? ସେ ସମ୍ପର୍କରେ ଆଲୋଚନା କରିବା।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନ୍ଆରସି ଓ ଏନ୍‌ପିଆର ସମ୍ପର୍କରେ କୁହାଯାଇଛି ଯେ ‘ଜାଣିଶୁଣି ଲୋକଙ୍କୁ ଭୁଲ ସୂଚନା ଦିଆଯାଉଛି।’ ପ୍ରକୃତ କଥା ହେଉଛି- ଏନ୍ଆରସି ପ୍ରକ୍ରିୟା ଆରମ୍ଭ ହୋଇଛି, ଏନ୍‌ପିଆର ପାଇଁ ଆରମ୍ଭ କରାଯାଇଥିବା ପ୍ରସ୍ତୁତି ମଧ୍ୟ ଦେଇ। ଏନ୍‌ପିଆର ହେଉଛି ଏନ୍ଆରସିର ପ୍ରାକ୍ ପ୍ରସ୍ତୁତି ପର୍ବ। ଏନ୍‌ପିଆର ହେଉଛି ଏନ୍‌ଆରସିର ପ୍ରାଥମିକ ଅବସ୍ଥା। ଏନ୍‌ପିଆରର ପ୍ରସ୍ତୁତି ଓ ଏହାକୁ ଅପଡେଟ୍ କରାଇବା ପାଇଁ ଯେଉଁ ଅଧିସୂଚନା ଜାରି କରାଯାଇଛି, ତାହା ନାଗରିକ ପଞ୍ଜୀକରଣ(ଏନ୍‌ଆରସି) ବିଭାଗର ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ୩୧/୭/୨୦୧୯ରେ ପ୍ରକାଶିତ ହୋଇଛି। କେବଳ ଆସାମକୁ ବାଦ ଦେଇ ସାରା ଦେଶରେ ଘରକୁ ଯାଇ ସ୍ଥାନୀୟ ରେଜିଷ୍ଟ୍ରାରଙ୍କ ଅଧୀନରେ ଆସୁଥିବା ଲୋକଙ୍କ ଗଣନା କରାଯିବ ଓ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯିବ। ଏହା ଏପ୍ରିଲ ପହିଲା ୨୦୨୦ରୁ ଆରମ୍ଭ ହୋଇ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲିବ। ଏନ୍‌ପିଆର ପ୍ରସ୍ତୁତ ହୋଇସାରିବା ପରେ ଏହାର ତର୍ଜମା କରାଯାଇ ଏନ୍‌ଆରସିକୁ ଚୂଡ଼ାନ୍ତ ରୂପରେଖ ଦିଆଯିବ। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ ଅମଳରେ ୨୦୦୩ ମସିହାରେ ସିଟିଜେନ୍ସ ଆଣ୍ଡ ଇସ୍ୟୁ ଅଫ୍ ନ୍ୟାସନାଲ ଆଇଡେଣ୍ଟି କାର୍ଡ ପାଇଁ ନିୟମ ପ୍ରଣୟନ କରିଥିଲେ। ସୁତରାଂ ୧/୪/୨୦୨୦ ପରେ ଏନ୍‌ପିଆର ପାଇଁ ଘରକୁ ଘର ବୁଲି ଗଣନା କରାଯିବା ବାହାନାରେ ଏନ୍‌ଆରସି କାର୍ଯ୍ୟ ଆରମ୍ଭ ହୋଇଯିବ। ଲକ୍ଷ୍ୟ କରିବାର କଥା ଯେ ଏହି ଯାଞ୍ଚ ପ୍ରକ୍ରିୟାରେ ଯେଉଁ ବ୍ୟକ୍ତି ବା ପରିବାରମାନଙ୍କର ନାଗରିକତା ଉପରେ ସନ୍ଦେହ ରହିବ, ସେମାନଙ୍କୁ ଅଲଗା କରି ସେମାନଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରାଯିବ। ଯାଞ୍ଚ ଓ ତର୍ଜମା ସରିବା ପରେ ଏହି ସନ୍ଦେହ ପୂର୍ଣ୍ଣ ନାଗରିକମାନଙ୍କୁ ଆଉ ଗୋଟିଏ ଫର୍ମ ଦିଆଯିବ।
ଏହି ନିୟମର ଧାରା ୪(୫)(୩)ରେ ମଧ୍ୟ କୁହାଯାଇଛି ଯେ ସବ୍‌ରୁଲ୍‌ ୪ ରେ ରଖାଯାଇଥିବା ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ସେମାନଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ସେମାନଙ୍କ ପକ୍ଷରୁ ନାଗରିକତା ପଞ୍ଜୀକରଣ ବିଭାଗର ଉପ-ଜିଲା ବା ରେଜିଷ୍ଟ୍ରାରଙ୍କ ନିକଟରେ ତଥ୍ୟ ସମ୍ପର୍କରେ ସଂଯୋଗ ବା ବିୟୋଗ କରିବାକୁ ଚାହୁଁଥିଲେ, ତାହା କରିପାରିବେ।
ଜାତୀୟ ଜନସଂଖ୍ୟା ରେଜିଷ୍ଟାରର ସର୍ବେକ୍ଷଣ ବେଳେ ନାଗରିକମାନଙ୍କୁ ୧୫ଟି ପ୍ରଶ୍ନ ପଚରାଯିବ। ସେମାନେ ଜନ୍ମଗ୍ରହଣ କରିଥିବା ସ୍ଥାନ, ଜନ୍ମତାରିଖ, ପିତାମାତାଙ୍କ ନାମ, ଆଧାରରେ ସଂପୂର୍ଣ୍ଣ ବିବରଣୀ ଇତ୍ୟାଦି। ଏହି ପ୍ରକ୍ରିୟାରେ ଏ ଭଳି କେତେକ ପ୍ରଶ୍ନ ପଚରାଯିବ ଯାହାକି ନାଗରିକମାନଙ୍କୁ ସମସ୍ୟାରେ ପକାଇବ।
ଗୁରୁତ୍ୱପୂର୍ଣ୍ଣ ହେଉଛି ଜାତୀୟ ନାଗରିକ ପଞ୍ଜୀକରଣ ପାଇଁ କୌଣସି ନୂଆ ନିୟମର ଆବଶ୍ୟକତା ନାହିଁ। ୧୯୫୫ରେ ହୋଇଥିବା ନାଗରିକତା ଆଇନରେ, ଅଟଳ ବିହାରୀ ବାଜପେୟୀଙ୍କ ଶାସନ ଅମଳରେ ୨୦୦୩ରେ ହୋଇଥିବା ସଂଶୋଧନ ଦ୍ୱାରା ତାହା ରଖାଯାଇ ସାରିଛି। ସେତେବେଳେ ପ୍ରଥମ ଥର ପାଇଁ ଜାତୀୟ ନାଗରିକ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇ ପ୍ରତ୍ୟେକ ନାଗରିକକୁ ଏକ ଜାତୀୟ ପରିଚୟପତ୍ର ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଗଲା ଓ ତା’ପରେ ଏକ ଜାତୀୟ ଜନସଂଖ୍ୟା ରେଜିଷ୍ଟାର ପ୍ରସ୍ତୁତି କଥା କୁହାଯାଇଥିଲା, କିନ୍ତୁ ଏନ୍‌ପିଆର ସହିତ ଏନ୍‌ଆରସି ଯେ ସିଧାସଳଖ ଯୋଡ଼ି ହୋଇରହିଛି, ଏଥିରେ ସନ୍ଦେହ ନାହିଁ। ଓଡ଼ିଶା ସରକାରଙ୍କ ଭଳି ଯେଉଁ ରାଜ୍ୟ ସରକାରମାନେ କହୁଛନ୍ତି ଯେ ଆମେ ଏନ୍‌ପିଆରକୁ କାର୍ଯ୍ୟକାରୀ କରିବୁ, କିନ୍ତୁ ଏନ୍‌ଆରସିକୁ କାର୍ଯ୍ୟକାରୀ କରିବୁ ନାହିଁ, ସେମାନେ ଲୋକଙ୍କୁ ପ୍ରକୃତ ତଥ୍ୟ ଦେଉନାହାନ୍ତି, କାରଣ ୨୦୦୩ରେ ଏନ୍‌ଆରସି ସଂଶୋଧିତ ହୋଇ ସାରିଛି ଓ ସଂଶୋଧିତ ଏନ୍‌ଆରସି ସହିତ ଏନ୍‌ପିଆର ଯୋଡ଼ି ହୋଇ ରହିଛି।
ଏଥିରୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ବେଶ ସ୍ପଷ୍ଟ। ସେମାନେ ପ୍ରତ୍ୟେକ ରାଜ୍ୟର ଜନସାଧାରଣଙ୍କୁ ସାଂପ୍ରଦାୟିକତା ଆଧାରରେ ବିଭାଜିତ କରିବାକୁ ଚାହୁଁଛନ୍ତି। ବିଶେଷ କରି ପଶ୍ଚିମବଙ୍ଗ କ୍ଷେତ୍ରରେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ତାଙ୍କ ଦଳର ନେତାମାନେ କହୁଛନ୍ତି ଯେ ଏନ୍‌ଆରସି ପ୍ରକ୍ରିୟା ଦେଶରୁ ସେହି ଲୋକମାନଙ୍କୁ ମୂଳପୋଛ କରିଦେବ ଯେଉଁମାନେ ହେଉଛନ୍ତି ମୁସଲମାନ ଅନୁପ୍ରବେଶକାରୀ ଓ ବାଂଲାଦେଶରୁ ଆସିଛନ୍ତି। ଅଥଚ ଯେଉଁ ହିନ୍ଦୁମାନେ ବାଂଲାଦେଶରୁ ଆସିଛନ୍ତି ସେମାନେ ହେଉଛନ୍ତି ଶରଣାର୍ଥୀ ଓ ସେମାନଙ୍କୁ ନାଗରିକତା ଦିଆଯିବ ବୋଲି କେନ୍ଦ୍ର ସରକାର ଯୋଜନା କରୁଛନ୍ତି।
ବର୍ତ୍ତମାନ ଦେଶରେ ଆଧାର କାର୍ଡ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇସାରିଛି ଓ ଅଧିକାଂଶ ନାଗରିକଙ୍କୁ ଏହା ଦିଆଯାଇଛି। ପୁଣି ନିର୍ବାଚନ ଆୟୋଗ ପକ୍ଷରୁ ଫଟୋ ପରିଚୟପତ୍ର ଦିଆଯାଇଛି। ଏହା ବାଦ ଆଉ ଏକ ନାଗରିକ ଗଣନା କାର୍ଯ୍ୟକ୍ରମ ଓ ଆଉ ଏକ ପରିଚୟପତ୍ର ପ୍ରଦାନ ବ୍ୟବସ୍ଥା କ’ଣ ପାଇଁ, ତା’ର ରହସ୍ୟ ବୁଝିବାକୁ ହେବ। କାରଣ ଉପରୋକ୍ତ ପରିଚୟ ପତ୍ରଗୁଡ଼ିକ ଧର୍ମୀୟ ଆଧାରରେ ହୋଇନାହିଁ।
ଏହି ପରିପ୍ରେକ୍ଷୀରେ ରାଜ୍ୟମାନଙ୍କର ଅଧିକାର କଥା ଚିନ୍ତା କରାଯାଉ। କେନ୍ଦ୍ର ସରକାରଙ୍କ କାର୍ଯ୍ୟସୂଚୀକୁ ଦେଶ ଭିତରେ ପ୍ରବଳ ବିରୋଧ ହେଉଛି। କେରଳ ଓ ପଶ୍ଚିମବଙ୍ଗ, ମୁଖ୍ୟମନ୍ତ୍ରୀ ଏନ୍‌ପିଆରକୁ କାର୍ଯ୍ୟକାରୀ ନକରିବାକୁ ଘୋଷଣା କରିଛନ୍ତି। ଦେଶ ଭିତରେ ସିଏଏକୁ ବିରୋଧ ଯୋଗୁଁ କେନ୍ଦ୍ର ସରକାର ଯଦି କହୁଛନ୍ତି ଯେ ଦେଶରେ ଏନ୍‌ଆରସି ପ୍ରକ୍ରିୟା ଆରମ୍ଭ ହେବ ନାହିଁ, ତେବେ ୩୧ ଜୁଲାଇ ୨୦୧୯ର ଅଧିସୂଚନାକୁ ପ୍ରତ୍ୟାହାର କରିନେବା ଶ୍ରେୟସ୍କର ହେବ।

ଜନାର୍ଦ୍ଦନ ପତି

janardanpati1947@gmail.com

 

Comments are closed.