ଦେବାଶିଷ ଓ ଅଭିଷେକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

କଲକାତା: ଓଡ଼ିଶା ‘ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ’ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ଇଞ୍ଜିନିୟର ଅଭିଷେକ ମହାପାତ୍ର ସଂପ୍ରତି କଲକାତାର ମେଡ଼ିକା ହାସପାତାଳରେ ଚିକିତ୍ସାଧୀନ ଅଛନ୍ତି। ଗତ ୮ ତାରିଖରେ ଦେବାଶିଷ ପାଣିଗ୍ରାହୀ ଓ ୯ତାରିଖରୁ ଅଭିଷେକ ମହାପାତ୍ର ହସାପାତାଳରେ ଚିକିତ୍ସାଧୀନ ଅଛନ୍ତି। ହାସପାତାଳ ଅଧ୍ୟକ୍ଷ ଡାକ୍ତର ଆଲୋକ ରାୟଙ୍କ ତତ୍ତ୍ବାବଧାନରେ ଚାରିଜଣିଆ ଡାକ୍ତରୀ ଦଳ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଚିକିତ୍ସା ଚାଲିଛି। ଆଜି ଡାକ୍ତରୀ ଦଳର ବରିଷ୍ଠ ଦୁଇ ସଦସ୍ୟ ଡାକ୍ତର ପ୍ରଦୀପ କୁମାର ସେଠୀ ଓ ଡାକ୍ତର ଦୀପାଞ୍ଜନ ‘ସମାଜ’କୁ କହିଛନ୍ତି ଯେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

‘ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ’ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥାବସ୍ଥାରେ ବିଶେଷ ଉନ୍ନତି ଘଟି ନଥିଲେ ସୁଦ୍ଧା ଅଭିଷେକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି। ଉଭୟ ‘ଏକମୋ’ ବ୍ୟବସ୍ଥା ମଧ୍ୟରେ ରହିଛନ୍ତି। ତେବେ ସେମାନଙ୍କୁ ଆହୁରି ଏକ ସପ୍ତାହ ଏକମୋ ବ୍ୟବସ୍ଥାରେ ରଖାଯିବ। ସ୍ବାସ୍ଥ୍ୟବସ୍ଥାକୁ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଡାକ୍ତର ଆଲୋକ ରାୟ କହିଛନ୍ତି ଯେ ବିଶ୍ବର ସର୍ବୋକୃଷ୍ଟ ଚିକିତ୍ସା ବ୍ୟବସ୍ଥା ମଧ୍ୟଦେଇ ଏହି ଦୁଇଜଣଙ୍କ ଚିକିତ୍ସା ଚାଲିଛି। ଶ୍ରୀ ପାଣିଗ୍ରାହୀଙ୍କ ଅମ୍ଲଜାନ ଯଥେଷ୍ଟ କମ୍‌ ରହିଛି। ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ନଜର ରଖାଯାଇଛି।

Comments are closed.