ଜାତୀୟ ରାଜପଥ କଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଦେବଗଡ଼:ଦେବଗଡ-ଅନୁଗୁଳ ରାସ୍ତାର ଚିକିଣିଘାଟି ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ କଡରୁ ଶନିବାର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡଲାଇନ ମିଳିତ ଭାବେ ଉକ୍ତ ଶିଶୁଟିକୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଏସ.ଏନ୍‍.ସି.ୟୁ.ରେ ଭର୍ତ୍ତୀ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟା ସମୟରେ ଚିକିଣିଘାଟି ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡରେ ଏକ ଶିଶୁ କନ୍ୟା ପରିତ୍ୟକ୍ତ ଏବଂ ପିମ୍ପୁଡି ଲାଗିଥିବା ଅବସ୍ଥାରେ ପଡ଼ି କାନ୍ଦୁଥିବା ଦେଖି କେତେକ ପଥଚାରୀ ତାକୁ ଉଦ୍ଧାର କରିବାସହ ଏ ସମ୍ପର୍କରେ ଚାଇଲ୍ଡଲାଇନ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ଚାଇଲ୍ଡଲାଇନ କର୍ମକର୍ତା ମାନେ ସେଠାରେ ପହଞ୍ଚିଥିଲେ। ତେବେ ଆଜି ଛୁଟିଦିନ ହୋଇଥିବା ଦୃଷ୍ଟିରୁ ସରକାରୀ ଗାଡି ନ ଥିବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର କାଳ ବିଳମ୍ବ ନକରି ‘ସମାଜ’ର ଜିଲା ପ୍ରତିନିଧି ସିଦ୍ଧାର୍ଥ ଗୁରୁଙ୍କ ସହାୟତାରେ ଏକ ବାଇକ ଯୋଗେ ଶିଶୁଟିକୁ ଜିଲା ମୂଖ୍ୟ ଚିକିତ୍ସାଳୟ ସ୍ଥିତ ଏସ.ଏନ୍‍.ସି.ୟୁ.ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁକନ୍ୟାଟି ସୁସ୍ଥ ରହିଛି ଓ ତା’ର ଓଜନ ପ୍ରାୟ ୨କିଲୋ ୬୦୦ ଗ୍ରାମ ରହିଛି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେବାସହ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାର ଥଇଥାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଜିବ ବୋଲି କହିଛନ୍ତି। ଏଥିସହ କୌଣସି କୁମାରୀ ମାଁ ଶିଶୁଟିକୁ ଜନ୍ମ କଲାପରେ ସେଠାରେ ପକାଇଦେଇଥିବା ଅନୁମାନ କରାଯାଉଥିବା ପ୍ରକାଶ କରିଛନ୍ତି।

Comments are closed.