୩ ହରିଣ ଶିକାରୀ ଗିରଫ: ମୁଣ୍ଡ, ମାଂସ ଓ ଚମଡ଼ା ସହ ବନ୍ଧୁକ ଜବତ

ଦେବଗଡ଼:ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ରିଆମାଳ ବନାଞ୍ଚଳର ବୁରୁବୁଡା ଗ୍ରାମରେ ବନବିଭାଗ ପକ୍ଷରୁ ଚଢଉ କରାଯାଇ ୩ କିଲୋ ହରିଣ ମାଂସ, ଗୋଟିଏ ହରିଣ ମୁଣ୍ଡ ସହ ଚମଡା ଜବତ କରାଯାଇଛି। ହରିଣ ଶିକାର ଅଭିଯୋଗରେ ବୁରୁବୁଡା ଗ୍ରାମର ୩ଜଣ ଗ୍ରାମବାସୀଙ୍କୁ ଗରିଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମୁକ୍ତେଶ୍ୱର ନାୟକ, ବିଶିକେନ କିସାନ ଓ ବିପିନ ଦାସ। ସେମାନେ ବ୍ୟବହାର କରିଥିବା ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ଓ ଗୋଟିଏ ପନିକି ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି।

 

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉପରୋକ୍ତ ୩ ଶିକାରୀ ଶୁକ୍ରବାର ବୁରୁବୁଡା ଗ୍ରାମ ନିକଟସ୍ଥ କଙ୍କରଖୋଳ ସଂରକ୍ଷିତ ଜଙ୍ଗଲ (ପିଆରଏଫ୍)ରୁ ଉକ୍ତ ହରିଣଟିକୁ ଶିକାର କରିଥିଲ। ସନ୍ଧ୍ୟାରେ ମୁକ୍ତେଶ୍ୱର ଘରେ ତାକୁ କାଟି ଭାଗବଣ୍ଟା କରୁଥିବା ବେଳେ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦେଶକ୍ରମେ ରିଆମାଳ ବନାଞ୍ଚଳ ଅଧିକାରୀ ମହେନ୍ଦ୍ର ସାହୁ ସଦଳବଳ ସେଠାରେ ଚଢ଼ଉ କରିଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ରିଆମାଳ ବନପାଳ (ଫରେଷ୍ଟର) ତୁଷାର ପ୍ରଧାନ ଓ ବନରକ୍ଷୀ ମୀନା ପ୍ରଧାନ ଅଂଶଗ୍ରହଣ କରିଥିଲେ।

Comments are closed.