ଏସ୍.ଏମ୍.ଏସ୍. ମାଧ୍ୟମରେ କରୋନା ସଚେତନତା ନିମନ୍ତେ ପଦକ୍ଷେପ

ଦେବଗଡ : ଦେଶରେ ବର୍ତମାନ କରୋନା ସଂକ୍ରମଣ ପ୍ରତ୍ୟେକ ଦିନ ବଢି ବଢି ଚାଲିଛି। ଆମ ରାଜ୍ୟରେ ମଧ୍ୟ ସଂକ୍ରମଣର ସମାନ ସ୍ଥିତି ରହିଛି। ପ୍ରତ୍ୟେକ ଦିନ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ସର୍ବୋତ୍କୃଷ୍ଟ ଉପାୟ ହେଉଛି, ଘରେ ରହିବା ସୁରକ୍ଷିତ ରହିବା ଏବଂ ସତର୍କତାମୂଳକ ପଦକ୍ଷେପ ଯଥା ମାସ୍କ ବ୍ୟବହାର ଓ ସାମାଜିକ ଦୂରତାର ନିୟମର ଅନୁପାଳନ କରିବା। ଦେବଗଡ ଜିଲାରେ ସଂକ୍ରମଣସ୍ଥିତିକୁ ପ୍ରତିହତ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ଗୁଡିକ ଜାରି ରହିଛି।
କରୋନା ବିପକ୍ଷ ଯୁଦ୍ଧରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ କରି ସଚେତନ କରିବାପାଇଁ ପ୍ରଶାସନ ପକ୍ଷରୁ ନିରନ୍ତର ଉଦ୍ୟମ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍.ଏମ୍.ଏସ୍. ମାଧ୍ୟମରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ପ୍ରତିନିଧିମାନଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପଗୁଡିକର ସଚେତନତା ଉପରେ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଅନୁରୋଧ କରାଯାଉଛି। ସଙ୍ଗରୋଧରେ ରହୁଥିବା ଲୋକମାନଙ୍କୁ ସଙ୍ଗରୋଧ ନିୟମ ସଠିକ ଭାବେ ପାଳନ କରିବା ନିମନ୍ତେ ବୁଝାଇବା ପାଇଁ ପ୍ରତିନିଧିମାନଙ୍କୁ ଅନୁରୋଧ କରାଯାଉଛି। ଏହା ବ୍ୟତୀତ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ ଥିବା ବ୍ୟକ୍ତି ଯଥା ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ,ଏକାଧିକ ରୋଗରେ ପୀଡିତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପ୍ରତି ବିଶେଷ ଦୃଷ୍ଟିଦେବା ଉପରେ ଗୁରୁତ୍ୱାରୋପ କରାଯାଉଛି। କାହାଠାରେ କୈାଣସି ପ୍ରକାର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଖାନା କିମ୍ବା ହେଲପ୍ ଲାଇନ ନମ୍ବର-୨୨୬୮୪୩ କୁ ଜଣାଇବାପାଇଁ କୁହାଯାଇଛି।ସେହିଭଳି ସମସ୍ତ ଜନସାଧାରଣଙ୍କୁ ମଧ୍ୟ ସତର୍କତାମୂଳକ ପଦକ୍ଷେପଗୁଡିକର ଅନୁପାଳନ ଏବଂ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରୀ କରାଯାଉଥିବା ମାର୍ଗଦର୍ଶିକାଗୁଡିକୁ ଗମ୍ଭୀରତାର ସହିତ ନେଇ ପାଳନ କରିବାପାଇଁ ବିଭିନ୍ନ ମା୍ମମରେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି। ବିଭିନ୍ନ କାର୍ଯ୍ୟସ୍ଥଳୀରେ ବାହାରୁ ଆସି କାମ କରୁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟିଦେଇ ଲକ୍ଷଣ ପ୍ରକାଶ ପାଉଥିବା କୈାଣସି କର୍ମଚାରୀଙ୍କୁ ତୁରନ୍ତ ସଙ୍ଗରୋଧରେ ରଖି ପ୍ରଶାସନକୁ ଅବଗତ କରିବାପାଇଁ କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲାରେ ଥିବା ଦୈନନ୍ଦିନ ବଜାର, ସାପ୍ତାହିକ ମାର୍କେଟ ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ ଲୋକମାନଙ୍କ ଦ୍ୱାରା ସାମାଜି ଦୂରତା ରକ୍ଷା ଏବଂ ଘରୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର, ଏଣେତେଣେ ଛେପ ନ ପକାଇବା ଆଦି ନିୟମଗୁଡିକ ପାଳନ ନିମନ୍ତେ ସଚେତନ କରାଯିବା ସଂଗେ ସଂଗେ ଏଥିପାଇଁ ନିୟୋଜିତ ସର୍ଭାଇଲେନ୍ସ ଟିମ ଦ୍ୱାରା ନିୟମ ଅମାନ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନଗୁଡିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିଭିନ୍ନ ପର୍ବ ପର୍ବାଣୀ ସମୟରେ ମଧ୍ୟ ଏହି ଟିମ୍ ଧର୍ମାନୁଷ୍ଠାନଗୁଡିକରେ ଲୋକମାନେ ଯେଭଳି ପ୍ରବେଶ କରିବେ ନାହିଁ ତା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। ଏତଦ୍ ବ୍ୟତୀତ ସରକାରୀ କାର୍ଯ୍ୟାଳୟମାନଙ୍କରେ ମଧ୍ୟ କୋଭିଡ-୧୯ ପ୍ରଟୋକଲ ଯଥା ସାମାଜିକ ଦୂରତା, ମାସ୍କ ପରିଧାନ, ବାରମ୍ବାର ସାବୁନରେ ହାତ ଧୋଇବା, କାର୍ଯ୍ୟାଳୟ ପରିସ୍କାର ପରିଚ୍ଛନ୍ନତା ଓ ସାନିଟାଇଜେସନ ଆଦି ନିଶ୍ଚିତ କରିବାପାଇଁ କାର୍ଯ୍ୟାଳୟର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।