ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ‘ଏସ.ଏନ୍. ଷ୍ଟିଲ୍ ଏଣ୍ଡ୍ ମାର୍ବଲ୍ସ୍’ ଉପରେ ସି.ଟି.ଏଣ୍ଡ୍ ଜି.ଏସ୍.ଟି. ଏନଫୋର୍ସମେଂଟ ଟିମ୍ର ଚଢଉ

ଦେବଗଡ଼/ ବଳମ: ଜି.ଏସ୍.ଟି. ଠକେଇ ଅଭିଯୋଗରେ ବାରକୋଟ ବ୍ଲକ ବଳମ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ‘ଏସ.ଏନ୍. ଷ୍ଟିଲ ଏଣ୍ଡ ମାର୍ବଲ୍ସ୍’ ଉପରେ ସମ୍ବଲପୁର ସ୍ଥିତ ସି.ଟି.ଏଣ୍ଡ ଜି.ଏସ୍.ଟି. (ଏନଫୋର୍ସମେଂଟ) ପକ୍ଷରୁ ଚଢଉ କରାଯାଇଛି । ଗତକାଲି ପୂର୍ବାହ୍ନରେ ସମ୍ବଲପୁର ସ୍ଥିତ ସି.ଟି.ଏଣ୍ଡ ଜି.ଏସ୍.ଟି. (ଏନଫୋର୍ସମେଂଟ)ର ଡେପୁଟି କମିଶନର ସୁବୋଧ ପଣ୍ଡାଙ୍କ ନେତୃତ୍ୱରେ ବିଭାଗୀୟ ୧୦ ଜଣିଆ ଟିମ୍ ବର୍ଷା ମିତଲଙ୍କ ନାମରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ‘ଏସ୍.ଏନ୍. ଷ୍ଟିଲ୍ ଏଣ୍ଡ୍ ମାର୍ବଲ୍ସ୍’, ବର୍ଷାଙ୍କ ବାସଭବନ ଓ ଗୋଦାମରେ ଚଢାଉ କରିଥିଲେ ।
ଏଥିସହ ଷ୍ଟକ, ଫାଇଲ, କ୍ରୟ ବିକ୍ରୟ ସମ୍ବନ୍ଧିତ ବିଲ୍ ଓ କାଗଜପତ୍ର ଯାଂଚ କରିଥିଲା । ଯାଂଚ ସମୟରେ ସମ୍ପୃକ୍ତ ପ୍ରତିଷ୍ଠାନ ପକ୍ଷରୁ ନିୟମ ଅନୁଯାୟୀ କୌଣସି ଷ୍ଟକ ରେଜିଷ୍ଟର୍ ,ବୈଧ ବିଲ ବହି ଏବଂ କ୍ରୟ ବିକ୍ରୟ ସମ୍ବନ୍ଧିତ ବୈଧ କାଗଜାତ ଉପସ୍ଥାପନ କରାଯାଇ ପାରିନଥିଲା । ସେହିପରି ସେଠାରୁ ସାଇ ଷ୍ଟିଲ୍ସ ଏଣ୍ଡ ମାର୍ବଲ୍ସ ଏବଂ ଜଗଦମ୍ବା ଫର୍ଟିଲାଇଜର ନାମକ ୨ଟି ପ୍ରତିଷ୍ଠାନର ଅବ୍ୟବହୃତ ରସିଦ( ବିଲ) ବହି ମିଳିଥିଲା ।
ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଗତ ଦୀପାବଳି ଉତ୍ସବ ପରଠାରୁ ଉକ୍ତ ପ୍ରତିଷ୍ଠାନ ପକ୍ଷରୁ କ୍ରୟ ବିକ୍ରୟ ସମ୍ବନ୍ଧିତ କୌଣସି ବିଲ/ରସିଦ କଟାଯାଇନଥିବା ସି.ଟି.ଏଣ୍ଡ ଜି.ଏସ୍.ଟି. ଟିମ୍ ଚଢଉ ସମୟରେ ଜାଣିବାକୁ ପାଇଥିଲେ । ଅନ୍ୟପକ୍ଷରେ ତଦନ୍ତ ପ୍ରକ୍ରିୟାରେ ବିଭାଗୀୟ ଅଧିକାରୀ ମାନଙ୍କୁ ସହଯୋଗ ନକରି ବିଭ୍ରାନ୍ତ କରିବାକୁ ସମ୍ପୃକ୍ତ ପ୍ରତିଷ୍ଠାନ ପକ୍ଷରୁ ଉଦ୍ୟମ କରାଯାଉଥିବାରୁ ବିଭାଗୀୟ ଅଧିକାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହ ଏକାଧିକ ରସିଦ ବହି ଓ ଫାଇଲ ପତ୍ର ଜବତ କରି ଅଧିକ ତଦନ୍ତ ନିମନ୍ତେ ସମ୍ବଲପୁରକୁ ନେଇଥିବା ଡେପୁଟି କମିଶନର ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।
Comments are closed.