ଦେବଗଡରେ ରଥାଯାତ୍ରା: ଘୋଡାଗାଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗଲେ ତିନିଠାକୁର

ଦେବଗଡ଼: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଦେବଗଡ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ଜଗନ୍ନାଥ , ବଳଭଦ୍ର ଓ ମାତା ସୁଭଦ୍ରା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଛନ୍ତି। ତେବେ ଭୟାବହ କରୋନା ସଂକ୍ରମଣ ଦୃଷ୍ଟିରୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ପୁରୀ ବ୍ୟତୀତ ଦେଶର ସମସ୍ତ ରଥାଯାତ୍ରାକୁ ବାରଣ କରିଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ ତିନି ଠାକୁରଙ୍କୁ ରଥରେ ଗୁଣ୍ଡିଚା ମନ୍ଦିରକୁ ନିଆନଯାଇ ଆଜି ଘୋଡା ଗାଡିରେ ଶ୍ରୀ ମନ୍ଦିରକୁ ନିଅଯାଇଥିବା ଜଣାପଡିଛି। ପୂର୍ବତନ ବାମଣ୍ଡା ରାଜ୍ୟର ପରମ୍ପରା ଅନୁଯାୟୀ ଦେବଗଡରେ ଦୀର୍ଘ ତିନି ଦିନ ଧରି ପବିତ୍ର ରଥାଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଥାଏ। ରଥଯାତ୍ରା ଦିନରେ ରାଜାଙ୍କ ଦ୍ୱାରା ଛେରା ପହଁରା ସମସ୍ତ ରୀତି ନୀତି ଅନୁଯାୟୀ ତିନି ଠାକୁରଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ପହଣ୍ଡିରେ ପାଛୋଟି ନିଆଯିବା ସହ ରଥ ଉପରେ ସ୍ଥାପନା କରାଯାଇଥାଏ। ଦ୍ୱିତୀୟ ଏବଂ ତୃତୀୟ ଦିବସରେ ରଥକୁ ମାଉସୀ ମାଁ (ଶ୍ରୀ ଗୁଣ୍ଡିଚା) ମନ୍ଦିର ପର୍ଯ୍ୟନ୍ତ ଟଣାଯିବାପରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୂଖର ତିନି ଠାକୁର ରଥ ଉପରେ ହିଁ ଅବସ୍ଥାନ କରିଥାନ୍ତି।
ସେଠାରେ ତାଙ୍କର ଯଥା ରୀତି ପୂଜାର୍ଚ୍ଚନା କରାଯାଇଥାଏ। ଚତୁର୍ଥ ଦିବସ ପୂର୍ବାହ୍ନରେ ରଥ ଉପରୁ ତିନି ଠାକୁରଙ୍କର ଯଥା ରୀତି ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ପହଣ୍ଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ଅନୁରୂପ ଭାବେ ବାହୁଡା ଯାତ୍ରା ମଧ୍ୟ ଦୀର୍ଘ ୪ ଦିନ ଧରି ଅନୁଷ୍ଠିତ ହୋଇଥାଏ। ତେବେ ଚଳିତ ବର୍ଷ ଭୟାବହ କରୋନା ସଂକ୍ରମଣ ଦୃଷ୍ଟିରୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ପୁରୀ ବ୍ୟତୀତ ଦେଶର ସମସ୍ତ ରଥାଯାତ୍ରାକୁ ବାରଣ କରିଥିବା ପରିପ୍ରେକ୍ଷୀରେ ଅତୀତର ବାମଣ୍ଡା ରାଜ୍ୟର ରାଜଧାନୀ ତଥା ବର୍ତ୍ତମାନ ଦେବଗଡ ଜିଲା ସଦର ମହକୁମା ଦେବଗଡରେ ରୀତୀ ନୀତିରେ ପରିବର୍ତ୍ତନ ଘଟିବା ସହ ଦୀର୍ଘ ୩୦୦ବର୍ଷର ପରମ୍ପରା ଭଙ୍ଗ ହୋଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ସମ୍ମାନ ଜଣାଇ ଦେବଗଡ ରଥଯାତ୍ରାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା। ଦେବଗଡ ରାଜା ନିତେଶ ଗଙ୍ଗଦେବ ଦେବଗଡ ପୌରାଂଚଳର ପୁରୁଣାଗଡ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଆସି ତିନିଠାକୁରଙ୍କ ପୂଜାର୍ଚ୍ଚନା କରିବାପରେ ସମାଜିକ ଦୂରତ୍ୱ ନିୟମ ପାଳନ ପୂର୍ବକ ତିନି ଠାକୁରଙ୍କୁ ପହଣ୍ଡିରେ ମନ୍ଦିର ପରିସରରେ ଥିବା ଝୂଲଣ ମଣ୍ଡପରେ ସ୍ଥାପନ କରିଥିଲେ। ଉକ୍ତ ସଂଧ୍ୟାରେ ସଂଧ୍ୟା ଆଳତି ପରେ ନିନି ଠାକୁରଙ୍କୁ ପିଠାଭୋଗ ଅର୍ପଣ ସହ ବିଧିବଦ୍ଧ ନୀତିକାନ୍ତି ସମାପନ କରାଯାଇଥିଲା। ଆଜି ସଂଧ୍ୟାରେ ଦେବଗଡ ରାଜା ନିତେଶ ଗଙ୍ଗଦେବ ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କର ସଂଧ୍ୟା ଆଳତି କରିବାପରେ ସାମାଜିକ ଦୂରତ୍ୱ ନିୟମ ପାଳନ ପୂର୍ବକ ତନିଠାକୁରଙ୍କୁ ଏକ ସୁସଜ୍ଜିତ ଘୋଡା ଗାଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ। ଶ୍ରଦ୍ଧାଳୁଙ୍କର ଗହଳିକୁ ଏଡାଇବା ପାଇଁ ବେଶ ସତର୍କତା ଅବଲମ୍ବନ କରାଯିବା ତିନି ଠାକୁରଙ୍କୁ ଘୋଡା ଗାଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନେବା ପାଇଁ ହୋଇଥିବା ନିଷ୍ପତ୍ତି ଓ ପ୍ରସ୍ତୁତିକୁ ସମ୍ପୁର୍ଣ୍ଣ ଭାବେ ଗୋପନ ରଖାଯାଇଥିଲା। ଏ ସମ୍ପର୍କରେ ଦେବଗଡ ରାଜା ନିତେଶ ଗଙ୍ଗଦେବଙ୍କ ମତାମତ ଲୋଡିବାରୁ ଉପ ଜିଲାପାଳଙ୍କ ସହ ଆଲୋଚନା କରାଯିବା ପରେ କେବଳ ସେବାୟତ ମାନଙ୍କ ସହାୟତାରେ ଘୋଡା ଗାଡିରେ ତନି ଠାକୁରଙ୍କୁ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନିଅଯାଇଥିବା ପ୍ରକାଶ କରିଛନ୍ତି।