ଦେବଗଡ ବନ ବିଭାଗ କୋଡୁଛି ଯେତେ ମାଡୁଛି ସେତେ, ଏପଟେ ବୃକ୍ଷ ରୋପଣ ଅନ୍ୟପଟେ ବୃକ୍ଷ ଛେଦନ

ଦେବଗଡ :ବିଗତ କିଛି ବର୍ଷ ମଧ୍ୟରେ ଦେବଗଡ ବନ ବିଭାଗ କର୍ତ୍ତୃପକ୍ଷ ଜଙ୍ଗଲକାଟ ଓ ଜଙ୍ଗଲ ପୋଡି ରୋକିବା ସହ ବନ୍ୟଜନ୍ତୁ ଶିକାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାଶଲ କରିବା ସହ ଜନସାଧାରଣଙ୍କ ଠାରୁ ବେଶ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ତଳିଆ କର୍ମଚାରୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ସହ ସମନ୍ୱୟ ରକ୍ଷାକରି ଏଭଳି ସଫଳତା ହାଶଲ କରିଥିବା ସାଧାରଣରେ ଆଲୋଚନା ହେଉଛି।

ଅନ୍ୟପକ୍ଷରେ ଦେବଗଡ ବନଖଣ୍ଡ ଅନ୍ତର୍ଗଥବ ଦେବଗଡ,ରିଆମାଳ ଓ ବାରକୋଟ ଆଦି ତିନୋଟି ଯାକ ବନାଂଚଳର ବିଭିନ୍ନ ସ୍ଥାନରେ ମନରେଗା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) ସମେତ ବିଭିନ୍ନ ଯୋଜନାରେ ପଥପାର୍ଶ୍ବ ବନୀକରଣ ସମେତ ଜଙ୍ଗଲ ମଧ୍ୟରେ ଚାରା ରୋପଣ ପୂର୍ବକ ଜଙ୍ଗଲ ସୃଷ୍ଟି କରିବାପାଇଁ ଉଦ୍ୟମ ଜାରୀ ରଖିଛନ୍ତି। ମାତ୍ର କେତେକ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ଚରମ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ଏହି ଉଦ୍ୟମ ଫଳବତୀ ହେବାନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ମୋଟାମୋଟି ଭାବେ କହିବାକୁ ଗଲେ ବନ ବିଭାଗ ‘କୋଡୁଛି ଯେତେ… ମାଡୁଛି ସେତେ’ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି କ୍ରମରେ ବାରକୋଟ ବନାଂଚଳ କଲା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଉଡି ଭୂୟାଁ ଅଧ୍ୟୁଷିତ ଦେପତଳା ଗ୍ରାମରେ ଗତ କିଛିଦିନ ମଧ୍ୟରେ ବିସ୍ତୀର୍ଣ୍ଣ ଜଙ୍ଗଲକୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ସଂଖ୍ୟକ ଛୋଟ ବଡ କଟାଯାଇଥିବା ଜଣାପଡିଛି। ମାତ୍ର ବନ ବିଭାଗ କର୍ତ୍ତୃପକ୍ଷ ସବୁ ଜାଣି ମଧ୍ୟ କିଛି ନଜାଣିଲା ଭଳି ଅଭିନୟ କରିବା ଘଟଣା ସମ୍ପୃକ୍ତ ଅଂଚଳବାସୀ ଓ ପ୍ରକୃତି ପ୍ରେମୀଙ୍କ ମଧ୍ୟରେ ବିସ୍ମୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ଗତ ୫/୬ ଦିନ ପୂର୍ବେ କେତେକ ଦୁର୍ବୃତ୍ତ ଜମି ନିର୍ମାଣ ପାଇଁ ଦେପତଳା ଗ୍ରାମ୍ୟ ଜଙ୍ଗଲରୁ ପ୍ରାୟ ୨ ଶହରୁ ଊର୍ଦ୍ଧ୍ବ ଛୋଟବଡ ଗଛ କାଟି ଦେଇଥିଲେ। ଫଳରେ ବିସ୍ତୀର୍ଣ୍ଣ ଜଙ୍ଗଲ ପଦା ହୋଇଯାଇଥିଲା। କଟାଯାଇଥିବା ଗଛ ଗୁଡିକ ମଧ୍ୟରେ ବହୁ ସଂଖ୍ୟକ ମୂଲ୍ୟବାନ ଶାଳଗଛ ମଧ୍ୟ ରହିଥିବା ଜଣାପଡିଛି। ଏ ସମ୍ପର୍କରେ ସମ୍ପୃକ୍ତ ଅଂଚଳର କେତେକ ସଚେତନ ଲୋକ ବିଭାଗୀୟ ଫରେଷ୍ଟର ଗୋଲେଖ ପଟ୍ଟାଙ୍କୁ ଜଣାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତ ମାନଙ୍କ ବିରୁଦ୍ଧରେ ଜୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାସହ ସମ୍ପୃକ୍ତ ଫରେଷ୍ଟରଙ୍କ ଭୁମୀକା ନେଇ ସେମାନଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କଲା ସେକଜ୍ସନର ଫରେଷ୍ଟର ଗୋଲେଖ ପଟ୍ଟାଙ୍କ ମତାମତ ଲୋଡିବାରୁ ଏଘଟଣାକୁ ସେ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିବା ସହ ଏହା କିଛି ବଡ କଥାନୁହେଁ। ବରଂ ପୋଡୁ ଚାଷ ନିମନ୍ତେ ଚାଷ ଜମି ତିଆରି ପାଇଁଁ ଆଦିବାସୀ ମାନେ ସମଗ୍ର ରାଜ୍ୟରେ ଏବଂ ଏପରିକି ତାଙ୍କ ଅଧିନରେଥିବା କଲା ଫରେଷ୍ଟ ସେକ୍ସନର ବିଭିବ୍ନ ସ୍ଥାନରେ ଗଛ କାଟୁଥିବା ପ୍ରକାଶ କରଛନ୍ତି। ଏଥିସହ ଉକ୍ତ ଜଙ୍ଗଲ ସଂରକ୍ଷିତ ଜଙ୍ଗଲ ନୁହେଁ , ଗ୍ରାମ୍ୟ ଜଙ୍ଗଲ ବୋଲି ପ୍ରକାଶ କରିବା ସହ ଏ ସମ୍ପର୍କରେ ସେ ବିବାଗୀୟ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍ଜରେ ବାରକୋଟ ବନାଂଚଳାଧିକାରୀ ଜୟଶ୍ରୀ ମୁର୍ମୂଙ୍କ ମତାମତ ଲୋଡିବାରୁ ତାଙ୍କ ପାଖରେ ଏନେଇ କୌଣସି ସୂନା ନଥିବା ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ମତାମତ ନେବା ପାଇଁ ଦେବଗଡ ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡଙ୍ଗୀଙ୍କ ମତାମତ ନେବା ପାଇଁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ। ତେବେ ଦେବଗଡ ବନଖଣ୍ଡ ଅଧିକାରୀଣୀ ଶ୍ରୀମତି ଷଡଙ୍ଗୀ ନିଜେ ଏଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେଦାବୀ ହେଉଛି।

Comments are closed.