ପଡିରହିଛି ଶହଶହ ଟନ ଶାଳମଞ୍ଜି ; ଅଧାରୁ କମ ମୂଲ୍ୟରେ କିଣୁଛି ଦଲାଲ

ଦେବଗଡ : ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି)ର ଚରମ ଅବହେଳା ଓ ମନମୁଖି କାର୍ଯ୍ୟ ଯୋଗୁଁ ଦେବଗଡ ଜିଲାରେ ଶହଶହ ଟନ ଶାଳମଞ୍ଜି ବିକ୍ରି ହୋଇନପାରି ପଡିରହିଛି। ସରକାର ଶାଳ ମଞ୍ଜିର ସର୍ବନିମ୍ନ ସହାୟକ ମୂଲ୍ୟ କିଲି ପିଛା ୨୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି) ଶାଳମଞ୍ଜି ସଂଗ୍ରହକାରୀଙ୍କ ନିକଟରୁ ସଠିକ ସମୟରେ ଶାଳମଞ୍ଜି କ୍ରୟ କରୁନଥିବାରୁ ଦେବଗଡ ଜିଲାର ନିରୀହ ଆଦିବାସୀ ମାନେ ଘରେ ସାଇତି ରଖିଥିବା ଶାଳମଞ୍ଜି ଗୁଡିକୁ କିଭଳି ବିକ୍ରି କରିବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି।

 

ଏଣେ ମୌସୁମି ଆଗମନ ଯୋଗୁଁ ଶାଳମଞ୍ଜି କ୍ରୟ ବନ୍ଦ କରିବା ନିମନ୍ତେ ଟିଡିସିସିଓଏଲର ପରିଚଳନା ନିର୍ଦ୍ଦେଶକ ସନତ କୁମାର ମହାନ୍ତି ତାଙ୍କର ଚିଠି ନଂ-୧୫୪(ତା ୧୨-୦୬-୨୦୨୦ରିଖ)ଦେବଗଡ ଜିଲା ସମେତ ରାଜ୍ୟର ୧୩ ଟି ଜିଲାର ଜିଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଶାଳମଞ୍ଜି କ୍ରୟ ପାଇଁ ରହିଥିବା ଧାର୍ଯ୍ୟ ଦିବସ ଅଳ୍ପ ଦିନ ମଧ୍ୟରେ ଶେଷ ହେବାକୁ ବସିଥିବାରୁ ଶାଳମଞ୍ଜି ସଂଗ୍ରହକାରୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇପଡିଛି। ଏନେଇ ସେମାନେ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି)ର ଦୃଷ୍ଟି ଆକର୍ଷଣ କରିବାସହ ସଂଗୃହିତ ଶାଳମଞ୍ଜି ଗୁଡିକୁ କ୍ରୟ କରିବା ନିମନ୍ତେ ଏକାଧିକବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଶାଳମଞ୍ଜି ସଂଗ୍ରହକାରୀ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସରକାର ଶାଳ ମଞ୍ଜିର ସର୍ବନିମ୍ନ ସହାୟକ ମୂଲ୍ୟ କିଲି ପିଛା ୨୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି) ଶାଳମଞ୍ଜି ସଂଗ୍ରହକାରୀଙ୍କ ନିକଟରୁ ଶାଳମଞ୍ଜି କ୍ରୟ କରିବାକୁ କୁଣ୍ଠା ବୋଧ କରୁଥିବାରୁ ଅନେକ ସଂଗ୍ରହକାରୀ ଏବେ ଦଲାଲ ହାତରେ ମାତ୍ର ୭ଟଙ୍କାରୁ ୯ ଟଙ୍କା ଦରରେ ବିକ୍ରି କରୁଥିବା ଜଣାପଡିଛି। ତେବେ ୭ଟଙ୍କା କିମ୍ବା ୯ ଟଙ୍କାରେ ଶାଳମଞ୍ଜି ବିକ୍ରିକଲେ ସେମାନଙ୍କର ପରିଶ୍ରମର ମୂଲ୍ୟ ମଧ୍ୟ ମିଳିବ ନାହିଁ ବୋଲି ଅନେକ ସଂଗ୍ରହକାରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦଲାଲ ମାନଙ୍କ ସହ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି) କର୍ତ୍ତୃପକ୍ଷଙ୍କର ସଲା ସୁତୁରା ଏବଂ ଭିତିରି ସମ୍ପର୍କ ରହିଥିବାରୁ ଟିଡିସିସି କର୍ତ୍ତୃପକ୍ଷ ଜାଣିଶୁଣି ସେମାନଙ୍କ ଠାରୁ ଶାଳମଞ୍ଜି ସଂଗ୍ରହ କରୁଣଥିବା ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି)ର ଦେବଗଡ ଦାୟିତ୍ୱରେ ଥିବା ବ୍ରାଂଚ ମ୍ୟାନେଜରଙ୍କ ମତାମତ ନେବା ନିମନ୍ତେ ତାଙ୍କୁ ମୋବାଇଲେ ଯୋଗାଯାଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ। ଏଣୁ ଜିଲାପାଳ ନିଜେ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ଅଭଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ସଂଗ୍ରହକାରୀ ମାନେ ଗଚ୍ଛିତ କରି ରଖିଥିବା ଶାଳମଞ୍ଜି କ୍ରୟ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂଗ୍ରହକାରୀ ମାନେ ଦାବି କରିଛନ୍ତି।

 

Comments are closed.