ଜାତୀୟ ରାଜପଥରୁ ଗୁରୁତର ଅବସ୍ଥାରେ ଅଚିହ୍ନା ମହିଳା ଉଦ୍ଧାର

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ବସାଲଇ ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ରାତିରେ ଜଣେ ଅଚିହ୍ନା ବୃଦ୍ଧାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତ୍ରି ପ୍ରାୟ ୮ ଟା ସମୟରେ ଜଣେ ଅଚିହ୍ନ ବୃଦ୍ଧା ବସାଲଇ ଗ୍ରାମ ନିକଟସ୍ଥ (ବସାଲଇ-ଛୁରିଆବାହାଳ ଗାଁ ମଝିରେ)୪୯ ନମ୍ବ ଜାତୀୟ ରାଜପଥ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସେହି ରାସ୍ତା ଦେଇ ଦେବଗଡ ଆସୁଥିବା ହରେଶ ନାମକ ଏକ କୋରିୟର ସଂସ୍ଥାର କର୍ମଚାରୀ ତାଙ୍କୁ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ଓ ବୃଦ୍ଧା ଜଣକ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି।

କେଉଁ ପରିସ୍ଥିତିରେ ସେ ଆହତ ହୋଇ ରାସ୍ତା ଉପରେ ପଡିଥିଲେ ତାହା ସ୍ପଷ୍ଟ ଭାବେ ଜଣା ପଡିନଥିବା ବେଳେ କୌଣସି ଏକ ଅଜଣା ଗାଡି ଧକ୍କାରେ ସେ ଆହତ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ସେ କିଛି କହିପାରୁନଥିବାରୁ ତାଙ୍କର ପରିଚୟ ଜଣାପଡିନାହିଁ।

Comments are closed.