ସହାୟତାର ହାତ ବଢାଇଲା ଜିଲା ପ୍ରଶାସନ: ଚିକିତ୍ସା ନିମନ୍ତେ ପୀଡିତଙ୍କୁ ପଠାଇଲା କଟକ ବଡ ଡାକ୍ତରଖାନା

ଦେବଗଡ: ବାରାହା ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଗୁରୁତର ଆହତ ହେବାସହ ଅର୍ଥ ଅଭାବରୁ ଆସନ୍ନ ମୃତ୍ୟୁ ସହ ଯୁଝୁଥିବା ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମର ଯୁବକ ବିଭୁ ଭୂୟା(୨୪)ଙ୍କ ସହାୟତା ନିମନ୍ତେ ଦେବଗଡ ଜିଲା ପ୍ରଶାସନ ହାତ ବଢାଇଛି। ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଦିନ ବାରକୋଟ ବି.ଡି.ଓ. ଟୁନୁ ମେହେର ଓ ତହସିଲଦାର ବର୍ତିଲିୟସ ଡୁଙ୍ଗଡୁଙ୍କ ପୀଡିତ ଘରକୁ ଯାଇ ପରିସ୍ଥିତି ଅନୁଧଯୟାନ କରିବା ସହ ପୀଡିତାଙ୍କ ପରିବାରର ଚଳଣି ପାଇଁ ପଞ୍ଚାୟତ ପକ୍ଷରୁ ଚାଉଳ ପ୍ରଦାନର ବ୍ୟବସ୍ଥା କରିଥିଲେ। ଏଥିସହ ତାଙ୍କର ମାଗଣା ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିବା ପରେ ଗତକାଲି ରାତ୍ରି ପ୍ରାୟ ସାଢ ୧୦ ଟା ସମୟରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିଭୂଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି। କ

ଟକ ପଠାଇବା ସମୟରେ ତାଙ୍କ ପରିବାରକୁ ବ୍ଲକ ପ୍ରଶାସନକୁ କିଛି ଆର୍ଥିକ ସହାୟତା କରାଯାଇଥିବା ବାରକୋଟ ବିଡିଓ ଶ୍ରୀ ମେହେର ପ୍ରକାଶ କରିବାସହ ତାଙ୍କର ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରହିଛି ବୋଲି ପ୍ରକାଶ କରିଛନ୍ତି। ବଲଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ କିଶୋର ସାହୁ ଓ ବାରକୋଟ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ୱପ୍ନେଶ୍ୱର ନାୟକଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତି ବିଭୂଙ୍କର ଚିକିତ୍ସା ନିମନ୍ତେ କିଛି ଆର୍ଥୀକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ‘ସମାଜ’ରେ ଏ ସମ୍ପର୍କୀତ ଖବର ପ୍ରକାଶିତ ହେବାପରେ ଦେବଗଡ ଜିଲା ସମେତ ବିଭିନ୍ନ ଜିଲାର ବହୁ ଅନୁଷ୍ଠାନ ଏବଂ ବଦାନ୍ୟ ବ୍ୟକ୍ତି ତାଙ୍କର ସହାୟତା ନିମନ୍ତେ ଆଗେଇ ଆସିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ଠିକ ଅଢେଇ ମାସ ପୂର୍ବେ ଗତ ଏପ୍ରିଲ ୧୬ ତାରିଖ ସଂଧ୍ୟାରେ ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ପଞ୍ଚାୟତ ସଦର ମହକୁମାର ମୁନୀ ଭୂୟାଁଙ୍କ ବଡପୁଅ ବିଭୁ ଭୂୟାଁ (୨୪) ଜଙ୍ଗଲ ରାସ୍ତାଦେଇ ନିଜ ଘରକୁ ଫେରୁଥିବା ସମୟରେ ୧୦ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ଅହଲ୍ୟା ବାଇ ହାଇସ୍କୁଲ ନିକଟରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ୧୧କେ.ଭି. ଜୀବନ୍ତ ବିଦ୍ୟୁତ ତାରରେ ଛନ୍ଦି ହୋଇଥିଲେ। ଫଳରେ ବିଦ୍ୟୁତ କରେଣ୍ଟରେ ବିଭୁଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯିବା ସହ ସେ ଗୁରୁତର ଆହତ ହୋଇ ପଡ଼ିଥିଲେ। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ବାରକୋଟ ଓ ପରେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ପଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟପକ୍ଷରେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଉକ୍ତଗ୍ରାମର ଶିକାରୀ ସୁନିଲ ମଲ୍ଲିକୁ ପୁଲିସ ଗିରଫ କରି ଜେଲ ହାଜତକୁ ପଠାଇଥିଲା। ବୁର୍ଲାରେ ଦୀର୍ଘ ଏକମାସ ଧରି ଚିକିତ୍ସା କରାଯିବାସହ ଅସ୍ତ୍ରୋପଚାର କରି ତାଙ୍କର ବାମ ହାତଟିକୁ କାଟି ଦିଆଯାଇଥିଲା। ଏହାପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ବିଭୁଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ମୂଲ ନଲାଗିଲେ ୬ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ଅସମ୍ଭବ ହୋଇଥିବାରୁ ବିଭୂଙ୍କୁ କଟକ ନେବା ପରିବର୍ତ୍ତେ ଘରକୁ ଫେରାଇ ଆଣିବାସହ ଘର ଚଟାଣରେ ପକାଇ ରଖିଥିଲେ। ଫଲରେ ଚିକିତ୍ସା ଅଭାବରୁ ତାଙ୍କର ଚମଡାରୁ ପୋଡା ଘା’ ଶୁଖବା ପରିବର୍ତେ ଦିନକୁ ଦିନ ଅଧିକ ଗୁରୁତର ହେବାରେ ଲାଗିଥିଲା। ଏପରିକି ପୋଡା ଘା’ରୁ ଦୁର୍ଗନ୍ଧ ବାହାରିବା ସହ ସଂପ୍ରତି ସଂକ୍ରମଣର ଆଶଙ୍କା ଦେଖାଦେଇଥିଲା। ଏ ସମ୍ପର୍କରେ ଗତ ମଙ୍ଗଲବାର ଦିନ ‘ସମାଜ ଲାଇଭ’ରେ ଖବର ପ୍ରକାଶିତ ହେବାପରେ ବିଭୂଙ୍କୁ ସହାୟତା ଏବଂ ତାଙ୍କର ଚିକିତ୍ସା ବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରୀୟା ଆରମ୍ଭ ହୋଇଥିଲା।

Comments are closed.