ତନ୍ତ୍ରପୂଜା ନିଜପାଇଁ ହେଲା କାଳ, ତାନ୍ତ୍ରିକର ପୁଅ ହାତରେ ଯାଇଥିଲା ଜୀବନ

ଦେଓଧର ଜଳପ୍ରପାତର ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ଦେବଗଡ: କ୍ରୋଧ ମଣିଷର ପରମ ଶତୃ ଏକଥା ଯୁଗେ ଯୁଗେ ପ୍ରମାଣିତ ହୋଇଆସିଛି। ସେହିପରି ନିଜକୁ ଯେତେ ଶକ୍ତିମାନ ମନେ କଲେବି ଈଶ୍ୱରଙ୍କ ଆଗରେ ମଣିଷ ନିମିତ୍ତ ମାତ୍ର। ଅନ୍ୟପକ୍ଷରେ ଅନ୍ୟର ଅନିଷ୍ଠ କାମନାକରି ଯେତେ ପୂଜା ପାଠ କଲେ ମଧ୍ୟ ଈଶ୍ୱର ଏକଥାକୁ କେବେ ହେଲେ ସ୍ୱୀକୃତି ଦିଅନ୍ତି ନାହିଁ , ଅର୍ଥାତ ଈଶ୍ୱର ହିଁ ସର୍ବ ଶକ୍ତିମାନ। ‘ରଖିଲେ ହରି ମାରିବ କିଏ…? ମାରିଲେ ହରି ରଖିବ କିଏ…?’। ଏହି ଉକ୍ତିଟି ସତ୍ୟ ପ୍ରମାଣିତ ହୋଇଛି ଦେବଗଡ ଥାନାଞ୍ଚଳରେ ଘଟିଥିବା ଏକ ହତ୍ୟା ଘଟଣାରୁ।

ଘଟଣାଟି ଘଟିଛି ଏହିପରି- ଗତ ଡିସେମ୍ବର ମାସରେ ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ରେଙ୍ଗାଳବେଡା ଗ୍ରାମର କେତେକ ବ୍ୟକ୍ତି କୌଣସି କାରଣକୁ କେନ୍ଦ୍ରକରି ଉକ୍ତ ଗ୍ରାମର ପ୍ରସନ୍ନ କୁମାର ସାହୁ(୫୦)ଙ୍କ ପୁଅ ନାରାୟଣ ସାହୁଙ୍କୁ ଜମନକିରା ଥାନା ଅନ୍ତର୍ଗତ ମୁକ୍ତେଶ୍ୱର ମନ୍ଦିର ନିକଟରେ ନିର୍ମମ ଭାବେ ହତ୍ୟା କରିଥିଲେ।

ନାରାୟଣଙ୍କ ପରିବାରର ଅଭିଯୋଗ ଅଧାରରେ ଜମନକିରା ପୁଲିସ ଏକ ହ୍ୟା ମାମଲା ଋଜୁକରି ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା। ତେବେ ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିବା ପ୍ରସନ୍ନ ପ୍ରତିଶୋଧ ପରାୟଣ ହୋଇପଡ଼ିବା ସହ ପୁଅର ହତ୍ୟାର ପ୍ରତିଶୋଧ ନେବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ। ଏହି କ୍ରମରେ ପ୍ରସନ୍ନ ପୁଅର ହତ୍ୟାକାରୀ ମାନଙ୍କ ଦେବଗଡ ଥାନାଞ୍ଚଳର ଖଳିନାଳି ଗ୍ରାମର ଅକ୍ଷୟ କଟିଂଆଲ ନାମକ ଜଣେ ପୂଜକ ସହାୟତାରେ ତନ୍ତ୍ର ଓ ପୂଜା ସହାୟତାରେ ପୁଅର ହତ୍ୟାକାରୀଙ୍କ ଅନିଷ୍ଟ କାମନାକରି ପୂଜାର୍ଚ୍ଚନା କରାଉଥିଲେ। ମାତ୍ର ସେମାନଙ୍କର କୌଣସି ଅନିଷ୍ଟ ନ ଘଟିବାରୁ ପ୍ରସନ୍ନ ଖଳିନାଳି ଗ୍ରାମକୁ ଆସି ପୂଜକ ଅକ୍ଷୟ କଂଟିଆଲ ଓ ତାଙ୍କ ସାନପୁଅ ସୁନିତ କଂଟିଆଲଙ୍କୁ ପାଟି ତୁଣ୍ଡ କରିବା ସହ ଉଭୟଙ୍କୁ ଠକ ବୋଲି ଅଭିହିତ କରିଥିଲେ। ସେହିପରି ଗତ କିଛିମାସ ପୂର୍ବେ କଂଟିଆଲ ପରିବାର ପୂଜା କରୁଥିବା ପୀଠରେ ହଠାତ ନିଆଁ ଲାଗିଯିବାରୁ ଏହା ପଛରେ ପ୍ରସନ୍ନଙ୍କ ହାତ ଥିବା ଉଭୟ ପୂଜକ ଅକ୍ଷୟ କଂଟିଆଲ ଓ ତାଙ୍କ ପୁଅ ସୁନିତ କଂଟିଆଲ ସନ୍ଦେହ କରୁଥିଲେ। ତେବେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଗତ ୧୭ତାରିଖ ଦିନ ଭଲ ତିଥି ରହିଥିବା ଦର୍ଶାଇ ଉକ୍ତ ଦିନ ପୂଝା କରିବା ନିମନ୍ତେ ସୁନିତ କଂଟିଆଲ ପ୍ରସନ୍ନକୁ ଫୋନ ଯୋଗେ ଆମନ୍ତ୍ରଣ କରିଥିଲା। ଫଳରେ ପ୍ରସନ୍ନ ନିଜ ପୁଅ ହତ୍ୟାକାରୀଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ଉତ୍ସାହର ବାଇକ ଯୋଗେ ଖଳିନାଳି ଗ୍ରାମକୁ ଚାଲି ଆସିଥିଲେ। ପ୍ରସନ୍ନ ଖଳିନାଳି ଗ୍ରାମରେ ପହଞ୍ଚିବା ପରେ ସୁନିତ ତାଙ୍କୁ ପୂଜାର୍ଚ୍ଚନା ନିମନ୍ତେ ଏକ ନିର୍ଜନ ସ୍ଥାନର ଆବଶ୍ୟକତା ରହିଥିବା ଦର୍ଶାଇ ଜଙ୍ଗଲ ମଧ୍ୟରେ ରହିଥିବା ଦେଓଧର ଜଳପ୍ରପାତକୁ ଡାକିନେଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବାପରେ ସୁନିତ ଠାକୁରଣୀଙ୍କ ନିକଟରେ ମୁଣ୍ଡିଆ ମାରି ମନୋସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିବାକୁ କହିଥିଲା। ସୁନିତର କଥାମାନି ପ୍ରଶନ୍ନ ଠାକୁରାଣିଙ୍କୁ ମୁଣ୍ଡିଆ ମାରିବା ସମୟରେ ସୁନିତ ହତ୍ୟା ଉଦ୍ଦେଶ୍ୟରେ ଏକ ବଡ ପଥର ଖଣ୍ଡକୁ ପ୍ରସନ୍ନଙ୍କ ମୁଣ୍ଡ ଉପରେ କଚାଡି ଦେଇଥିଲା।ଫଳରେ ଘଟଣା ସ୍ଥଳରେ ପ୍ରସନ୍ନଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାପରେ ସୁନିତ ପ୍ରସନ୍ନଙ୍କ ଚପଲ ଓ ପିନ୍ଧା ଲୁଗା ଆଦିକୁ ନିକଟରେ ଥିବା ଏକ ପଥର କରୋଡରେ ଲୁଚାଇଦେବା ସହ ମୃତଦେହକୁ ଝରଣା ମଧ୍ୟରେ ଫିଙ୍ଗିଦେଇ ମୃତକଙ୍କ ବାଇକନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।ଅନ୍ୟପକ୍ଷରେ ପ୍ରଶନ୍ନ ନିଜ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବାପରେ ୧୯ ତାରିଖ ରାତ୍ରିରେ ଦେଓଧର ଜଳପ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ସୂଚନାପାଇ ପ୍ରଶନ୍ନଙ୍କ ପରିବାର ଲୋକେ ସେଠାକୁ ଆସି ଉକ୍ତ ମୃତଦେହ ପ୍ରଶନ୍ନଙ୍କର ବୋଲି ଚିହ୍ନଟ କରିଥିଲେ। ୨୦ ତାରିଖ ଦିନ ପ୍ରସନ୍ନଙ୍କ ପୁତ୍ରବଧୂ ଲିଲି ସାହୁ ଦେବଗଡ ଥାନାକୁ ଆସି ଗତ ଡିସେମ୍ବର ମାସରେ ତାଙ୍କ ସ୍ୱାମୀ ନାରାୟଣ ସାହୁଙ୍କୁ ରେଙ୍ଗାଳବେଡା ଗ୍ରାମର କେତେକ ବ୍ୟକ୍ତି ମୁକ୍ତେଶ୍ୱର ମନ୍ଦିର ନିକଟରେ ହତ୍ୟାକରିବା ପରେ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ହାଜତରେ ଥିବା ଓ ତାଙ୍କ ଶ୍ୱଶୁର(ଲିଲିଙ୍କ ଶ୍ୱଶୁର ବା ନାରାୟଣଙ୍କ ପିତା)ପ୍ରସନ୍ନଙ୍କ ସହ ଉକ୍ତ ଅଭିଯୁକ୍ତ ମାନଙ୍କର ଶତୃତା ଲାଗି ରହିଥିବା ଦର୍ଶାଇଥିଲେ। ଏପରିକି ପ୍ରସନ୍ନଙ୍କ ହତ୍ୟା କାଣ୍ଡର ୨ଦିନ ପୂର୍ବରୁ ପ୍ରସନ୍ନ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଆସିଥିବାରୁ ପୂଜକ ଅକ୍ଷୟଙ୍କୁ ଢାଲକରି ତାଙ୍କ(ଅକ୍ଷୟଙ୍କ)ପୁଅ ସୁଶାନ୍ତ ସହାୟତାରେ ଏକାଧିକ ବ୍ୟକ୍ତି ମିଶି ତାଙ୍କ ଶ୍ୱଶୁରଙ୍କୁ ହତ୍ୟା କରିଥିବା ତାଙ୍କର ଏତଲାରେ ଉଲ୍ଲେଖ କରିଥିଲେ। ଏତଲା ଆଧାରରେ ଦେବଗଡ ଥାନା ପୁଲିସ ଘଟଣାର ତଦନ୍ତ କରିବାସହ ବାରକୋଟ ଥାନାଞ୍ଚଳରୁ ମୃତ ପ୍ରସନ୍ନଙ୍କ ବାଇକ ଉଦ୍ଧାର କରିଥିଲା। ଏଥିସହ ଫେରାର ଥିବା ଅଭିଯୁକ୍ତ ସୁନିତ ଗତକାଲି ନିଜ ଗ୍ରାମକୁ ଫେରିଥିବା ସୂଚନା ପାଇ ପୁଲିସ ସେଠାରେ ଚଢାଉ ସୁନିତକୁୁ ଗିରଫ କରିଥିଲା। ପଚରାଉଚୁରା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ପଥର , ମୃତକର ପିନ୍ଧାଲୁଗା ଓ ଚପଲ ଆଦିକୁ ପଥର କୋରଡରୁ ଜବତ କରିଥିବା ଜଣାପଡ଼ିଛି। ସୁନିତକୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇଦିଆଯାଇଛି।

Comments are closed.