ମିଳିଲା ଦେବବ୍ରତଙ୍କ ମୃତଦେହ : କାଠଯୋଡ଼ି ପୋଲରୁ ନଦୀକୁ ଡେଇଁଥିଲେ

କଟକ : କାଠଯୋଡ଼ି ପୋଲରୁ ନଦୀକୁ ଡେଇଁ ନିଖୋଜ ଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ଗତ ୯ ତାରିଖରୁ ନିଖୋଜ ଥିବା ଦେବବ୍ରତଙ୍କ ମୃତଦେହ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବୀ ନଦୀର ରହମ୍ବା ନିକଟରୁ ମିଳିଥିବା ଜଣାପଡ଼ିଛି। ସରପଞ୍ଚ ଓ ପରିବାର ଲୋକଙ୍କ ଦ୍ବାରା ମରଶରୀର ଚିହ୍ନଟ ପରେ ଏହା ଦେବବ୍ରତଙ୍କ ମୃତଦେହ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ନିଆଳି କରଞ୍ଜ ଗାଁର ଦେବବ୍ରତ ଗତ ୯ ତାରିଖରେ ନିଜ ପତ୍ନୀ, ପୁଅ ସହ କାଠଯୋଡ଼ି ପୋଲ ଦେଇ ଯାଉଥିବା ସମୟରେ ହଠାତ୍ ନିଜ ବାଇକ୍ ଅଟକାଇ ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ନଦୀକୁ ଡେଇଁ ପଡ଼ିଥିଲେ। ଏହାପରେ ତାଙ୍କ ପତ୍ନୀ ମଧ୍ୟ ନିଜ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ ଓ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ଅଟକାଇଥିବା ଉକ୍ତ ମହିଳା ଓ ଉପସ୍ଥିତ ଥିବା ଲୋକେ କହିଥିଲେ। ଖବର ପାଇ ସଦର ଥାନା ପୁଲିସ୍, ଓଡ୍ରାଫ୍ ଟିମ୍, ଅଗ୍ନିଶମ କର୍ମଚାରୀ ଓ ସ୍କୁବା ଡାଇଭର ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇପାରି ନ ଥିଲା। ସପ୍ତାହେ ଧରି ଖୋଜାଖୋଜି ଚାଲିବା ପରେ ଆଜି ଦେବବ୍ରତଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

Comments are closed.