ଶ୍ରୀମନ୍ଦିରରେ ୩ ଦିନିଆ ଦେବ ଦୀପାବଳି

ପୁରୀ : ଶ୍ରୀମନ୍ଦିରରେ ଆଜି ଠାରୁ ତିନିଦିନ ବ୍ୟାପୀ ଦେବ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଶ୍ରାଦ୍ଧବେଶରେ ସଜ୍ଜିତ କରାଯାଇଛି। ପରମ୍ପରା ଅନୁଯାୟୀ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥି ଠାରୁ ୩ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ ଦେଇଥାନ୍ତି। ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କର ପିତା ନନ୍ଦ ଓ ମାତା ଯଶୋଦାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିଛନ୍ତି। ଆସନ୍ତାକାଲି ବସୁଦେବ ଓ ଦେବକୀ ଏବଂ ୧୫ ତାରିଖରେ ଆଦିତି କଶ୍ୟପ ତଥା ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରିବେ। ଗବେଷକଙ୍କ ମତ ଅନୁଯାୟୀ ଏହି ତିଥିରେ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦୀପଦାନ କରିଥାନ୍ତି। ଏହି ଅବସରରେ ତିନିବାଡରେ ୩ଗୋଟି ମହାଦୀପ ବନ୍ଦାପନା ହେବ। ଶ୍ରାଦ୍ଧବେଶରେ ଶ୍ରୀବିଗ୍ରହମାନେ ଶୁଭ୍ରବସ୍ତ୍ର ପରିଧାନ କରିଛନ୍ତି। ଦେବଦୀପାବଳୀ ଲାଗି ଶ୍ରୀମନ୍ଦିର ଏବଂ ମନ୍ଦିରର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରଦୀପ ଏବଂ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜା ଯାଉଛି। ଏହି ୩ ଦିନ ଶ୍ରୀମନ୍ଦିରରେ ମହାଦୀପ ଉଠିବାର ପରମ୍ପରା ରହିଛି।

Comments are closed.