ତପ୍ତପାଣି ବସ୍‌ ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ମିଳିଲା ମୃତକଙ୍କ ପରିଚୟ

ସୋରଡ଼ା/ବ୍ରହ୍ମପୁର/ଦିଗପହଣ୍ଡି: ଗଞ୍ଜାମ ଜିଲା ତପ୍ତପାଣି ଘାଟିର ପାଳୁଖୋଳ ବ୍ରିଜ ତଳକୁ ବସ୍‌ ଓଲଟି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା, ଜଣେ ଶିଶୁ ଓ ୨ ଜଣ ପୁରୁଷ ରହିଛନ୍ତି। ମୃତକମାନେ ହେଲେ ରାୟଗଡ଼ାର ବିଦ୍ୟୁତ ନାୟକ(୪୨), ପୁତାବଗଡ଼ର ଝୁନୁ ବେହେରା(୪୨), କବିସୂର୍ଯ୍ୟନଗରର କରିସ୍ମା ନାୟକ(୨୫) ଓ କୋଦଳା ଅଞ୍ଚଳର ଏଲ. ରମେଶ ବେହେରା(୪୫), ସୁନୀଲ ନାୟକ(୩୨), ସଂଘମିତ୍ରା ମହାପାତ୍ର(୪୦), ଅନ୍ବେଷା ମହାପାତ୍ର(୧୨), ସୁବାସିନୀ ମହାରଣା(୩୪)। ଅନ୍ୟପଟେ ଆହତଙ୍କ ମଧ୍ୟରୁ ୨୮ ଜଣ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଜଣେ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ରାୟଗଡ଼ାର ଟିକିରି ଅଞ୍ଚଳରୁ ବସ୍‌ଟି ବ୍ରହ୍ମପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ସାଢ଼େ ୩ଟାରେ ମାରୁତି ନାମକ ଘରୋଇ ବସ୍‌ଟି ତପ୍ତପାଣି ଘାଟି ଦେଇ ଯାଉଥିବାବେଳେ ପାଳୁଖୋଳା ପୋଲ ତଳକୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ୩/୪ ଗଡ଼ା ଦେଇ ବସ୍‌ ପ୍ରାୟ ୩୦ ଫୁଟ ତଳକୁ ଖସିପଡ଼ିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୪୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଏବଂ ଏମକେସିଜି ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ବସ୍‌ରେ ଆହୁରି କେତେଜଣ ଯାତ୍ରୀ ଫଶି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଯାତ୍ରୀ ଚାପି ହୋଇ ରହିଛନ୍ତି। ମୋଟ ୫ଟି ଅଗ୍ନିଶମ ଟିମ୍‌ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

Comments are closed.