ବିହାରରେ ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ପାଟନା:ବିହାରର ମୁଜାଫରପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ ବା ଜାପାନୀ ଜ୍ବରରେ ଶିଶୁ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି ।ରବିବାର ଆଉ ୩ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ମୁଜାଫରପୁରରେ ଏବେ ମଧ୍ୟ ୧୫ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀକ୍ରିଷ୍ଣ ମେଡିକାଲ୍‍ କଲେଜ ହସ୍ପିଟାଲ୍‍ ଓ କେଜରିୱାଲ୍‍ ହସ୍ପିଟାଲ୍‍ ରେ ୪୧ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି।

ସପ୍ତାହକ ମଧ୍ୟରେ ବିହାରରେ ଏହି ମସ୍ତିଷ୍କ ଜ୍ୱର ଉଗ୍ର ରୂପ ଧାରଣ କରିଛି । ପଶ୍ଚିମ ଓ ପୂର୍ବ ଚମ୍ପାରଣ ଜିଲା, ବୈଶାଳୀ, ଶିବହାର, ମୋତିହାରି ସହ ରାଜ୍ୟର ୧୨ ଜିଲାରେ ଏହି ଜ୍ବର ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାର ନିରାକରଣ ପାଇଁ ବିହାର ଓ କେନ୍ଦ୍ର ସରକାର ମିଳିତ ଭାବେ ପଦକ୍ଷେପ ନେଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅନ୍ୟ ପକ୍ଷରେ ଏହି ପରିସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ରବିବାର ମୁଜାଫରପୁର ଗସ୍ତ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ମଧ୍ୟ ମୁଜାଫରପୁର ଗସ୍ତ କରିଛନ୍ତି । ସେ ଶ୍ରୀକ୍ରିଷ୍ଣ ମେଡିକାଲ୍‍ କଲେଜ ହସ୍ପିଟାଲ୍‍​ରେ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ବିହାର ସ୍ୱାସ୍ଥ୍ୟ ବିଭାଗ ଓ କର୍ମକର୍ତ୍ତମାନଙ୍କ ସହ ଆଲୋଚନା କରିବେ।

Comments are closed.