ଛତିଶଗଡ ନକ୍ସଲ ଆକ୍ରମଣ – ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି: ସନ୍ଧ୍ୟାରେ ସମୀକ୍ଷା ବୈଠକ, ରିପୋର୍ଟ ତଲବ କରିବେ ସ୍ଵରାଷ୍ଟ୍ରମନ୍ତ୍ରୀ

ଛତିଶଗଡ ନକ୍ସଲ ଆକ୍ରମଣ ଘଟଣାରେ ଆଜି ଅଧିକ ୧୯ଟି ମୃତଦେହ ଉଦ୍ଧାର ହେବାପରେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ଛତିଶଗଡ ପୋଲିସ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସର ମିଳିତ ଟିମ୍ ଶୁକ୍ରବାର ରାତିରେ କମ୍ବିଂ ଅପରେସନ ପାଇଁ ମାଓବାଦୀଙ୍କ ଗଡ଼ ଦକ୍ଷିଣ ବସ୍ତରକୁ ଯାଇଥିଲେ। ତେବେ ଶନିବାର ଅପରାହ୍ନରେ ରାୟପୁରଠାରୁ ୭୫ କିଲୋମିଟର ଦୂରରେ ଥିବା ସୁକମା-ବିଜାପୁର ସୀମା ନିକଟସ୍ଥ ତରେମ ଅଞ୍ଚଳରେ ୪୦୦ରୁ ଅଧିକ ସୁରକ୍ଷା କର୍ମୀ ଏବଂ ପିପୁଲ୍ସ ଲିବରେସନ୍ ଗୁଇରିଲା ଆର୍ମି (ପିଏଲଜିଏ) ମଧ୍ୟରେ ୪ ଘଣ୍ଟା ଧରି ଏନକାଉଣ୍ଟର ହୋଇଥିଲା।

ଏହି ଏନକାଉଣ୍ଟରରେ ଅତି କମରେ ୫ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଥିଲେ ଏବଂ ୩୧ ଜଣ ସୁରକ୍ଷାକର୍ମୀ ନିଖୋଜ ଥିଲେ। ନିଖୋଜ ସୁରକ୍ଷା କର୍ମୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ପଠା ଯାଇଥିଲା। ଛତିଶଗଡ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଡି ଏମ ଅୱସ୍ତି କହିଛନ୍ତି, ଏହି ଅପରେସନ୍ ଜାରି ରହିଛି ଏବଂ ନିଖୋଜ ଯବାନଙ୍କ ସନ୍ଧାନ ପାଇଁ ହେଲିକପ୍ଟର ପଠାଯାଇଛି।

ଏହି ଖାନତଲାସୀ ବେଳେ ସୁରକ୍ଷା କର୍ମୀଙ୍କ ମୃତଦେହ ଠାବ କରାଯାଇଥିବା ଏଡିଜି କହିଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସକାଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ କଥା ହୋଇ ପରିସ୍ଥିତିର ଆକଳନ କରିଛନ୍ତି। ଆସାମରେ ପ୍ରଚାର କାର୍ଯ୍ୟ କାଣ୍ଟଛାଟ କରି ଶ୍ରୀ ଶାହା ଦିଲ୍ଲୀ ଫେରୁଛନ୍ତି। ସେ ଏନଏସଏ, ସୁରକ୍ଷା ବାହିନୀ ମୁଖ୍ୟ ଏବଂ ଗୁଇନ୍ଦା ବିଭାଗ ମୁଖ୍ୟଙ୍କ ସହ ପରିସ୍ଥିତିର ଅନୁଧ୍ୟାନ କରିବା ପରେ ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକ କରିବାର ସମ୍ଭାବନା ରହିଛି। ଏଭଳି ଘଟଣା ପାଇଁ କେଉଁଠାରେ ଭୁଲ ରହିଲା ଓ ନିର୍ଦ୍ଧାରିତ ଗ୍ରହଣୀୟ ବ୍ୟବସ୍ଥା କିଭଳି ତ୍ରୁଟିଯୁକ୍ତ ହେଲା, ସେ ନେଇ ସ୍ଵରାଷ୍ଟ୍ରମନ୍ତ୍ରୀ ରିପୋର୍ଟ ତଲବ କରିବେ ବୋଲି ଜଣାପଡିଛି।

Comments are closed.