ହତ୍ୟା ଅଭିଯୋଗରେ ଆଜୀବନ ସଜା କାଟୁଥିବା କଏଦୀର ଜେଲରେ ମୃତ୍ୟୁ

ବାସନ୍ଦ ଭୟରେ ମୃତଦେହକୁ ଗ୍ରାମକୁ ନେଲେନାହିଁ ପରିବାର

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଲାଣ୍ଡବନ୍ଧ ନିକଟରେ ଥିବା ଜେଲରେ ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁ ଥିବା ଜଣେ କଏଦୀର ମୃତ୍ୟୁ ଘଟିଥିବା ଜଣାପଡିଛି। ଜେଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମନମୁଣ୍ଡା ଥାନା ଅନ୍ତର୍ଗତ ଚମରାବାହାଲ ଗ୍ରାମର ସନ୍ତୋଷ ବାରିକ ୨୦୧୭ ମସିହାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବରେ ଥିବାବେଳେ ୨୦୧୯ ମସିହାରେ କୋର୍ଟ ତାକୁ ଆଜୀବନ ସଜା ଶୁଣାଇଥିଲେ। ସେହିଦିନ ଠାରୁ ସେ ବୌଦ୍ଧଜେଲରେ ସଜା କାଟୁଥିଲେ। ମଙ୍ଗଳବାର ଦିନ ଖାଇସାରିବା ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ଫଳରେ ତାଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଂଚି ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲା। ବ୍ୟବଛେଦ ପରେ ଶବକୁ ସତ୍କାର ପାଇଁ ନେବାକୁ ପରିବାର ଲୋକଙ୍କୁ କୁହାଯାଇଥିଲା। କିନ୍ତୁ ସାମାଜିକ ବାସନ୍ଦ ଭୟରେ ମୃତକଙ୍କ ଶବକୁ ନିଜଗ୍ରାମ ଚମରାବହାଲକୁ ନେବାକୁ ପରିବାରଲୋକ ରାଜି ହୋଇନଥିଲେ। ଶେଷରେ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଥାନା ପକ୍ଷରୁ ସ୍ଥାନୀୟ ସତ୍ୟସାଇ ସଂଗଠନର ସଭାପତି ଡା. ପ୍ରିୟବ୍ରତ ବେହେରାଙ୍କୁ ଯୋଗାଯୋଗ କରି ଶବ ସତ୍କାର ପାଇଁ ଅନୁରୋଧ କରାଯାଇଥିଲା। ଜେଲର ୱାର୍ଡନ ସୀମାଞ୍ଚଳ କହଁରଙ୍କ ସମେତ ସମସ୍ତ ଜେଲ କର୍ମଚାରୀଙ୍କୁ ଉପସ୍ଥିତିରେ ସତ୍ୟସାଇ ସଂଗଠନର ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ବୌଦ୍ଧ ରାଜଘାଟଠାରେ ମୃତ କଏଦୀଙ୍କ ମୃତଦେହ ସତ୍କାର କରାଯାଇଥିଲା। ମୃତ କଏଦୀଙ୍କ ନାବାଳକ ପୁତ୍ର ମୁଖାଗ୍ନି ଦେଇଥିଲେ। ସତ୍ୟସାଇ ସଂଗଠନ ପକ୍ଷରୁ ସଭାପତି ଡା. ବେହେରାଙ୍କ ସମେତ ଅଞ୍ଜନ ମହରଣା,ମନୋରଞ୍ଜନ ମହାକୁଡ,କେଶବ ବେହେରା,କୃଷ୍ଣ ଗୋବିନ୍ଦ ମହାପାତ୍ର,ଆକାଶ ମେହେର,ରିତେଶ ମହାପାତ୍ର ପ୍ରମୁଖ ଶବସତ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

Comments are closed.