ନଦୀକୂଳ ଅଞ୍ଚଳ ଯୁବନେତା ବଟକିଶୋର ସେଠୀଙ୍କ ବିୟୋଗରେ ଶୋକର ଛାୟା

ଗୁରୁଡିଝାଟିଆ : ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ତଥା ନଦୀକୂଳ ଅଞ୍ଚଳ ବିଜୁ ଜନତା ଦଳର ଯୁବନେତା ବଟକିଶୋର ସେଠୀ(୫୨)ଙ୍କ ବିୟୋଗରେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି। ଗତ କିଛିଦିନ ଧରି ସ୍ୱର୍ଗତ ସେଠୀ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତ୍ରିରେ ତାଙ୍କର ପରଲୋକ ଘଟିଥିଲା। ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ସେଠୀ ଛାତ୍ର ଜୀବନରୁ ଜନତା ଦଳ ଓ ବିଜୁ ଜନତା ଦଳର ଆଗଧାଡିର ଯୁବନେତା ଭାବରେ ନିଜକୁ ପ୍ରତିପାଦିତ କରି ନଦୀକୂଳ ଅଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମରେ ନିର୍ଣ୍ଣାୟକ ଭୂମିକା ନେଉଥିଲେ। ନିଜ ଗାଁ ଅନନ୍ତପୁରର ଜଳ ସମସ୍ୟା ଦୂରୀକରଣ, ଶିଳ୍ପର ବିକାଶ, ଖେଳ ପଡିଆ ନିର୍ମାଣ ଆଦି ବହୁ ଉନ୍ନୟନମୂଳକ କାର୍ଯ୍ୟର ମୁଖିଆ ସାଜିଥିଲେ। ବିଶେଷତଃ କଖଡି, ମଞ୍ଚେଶ୍ୱର, ଧୁରୁଷିଆ, ଅନନ୍ତପୁର, ଘଣ୍ଟିଖାଲ, ମହାକାଳବସ୍ତ, କଟକିଆସାହି ଓ ମେଘା ନଦୀକୂଳ ପଞ୍ଚାୟତ ସମୂହରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନିଜ ଅନନ୍ତପୁର ପଞ୍ଚାୟତରେ ତାଙ୍କର ମାଆ ସରପଞ୍ଚ ଭାବରେ ମଧ୍ୟ ଅଧିଷ୍ଠିତ ଅଛନ୍ତି। ସ୍ୱର୍ଗତ ସେଠୀଙ୍କ ପରଲୋକରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ, ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ନୃସିଂହ ଚରଣ ମହାପାତ୍ର, ଧବଳେଶ୍ୱର ଡିପ୍ଲୋମା କଲେଜର ପ୍ରତିଷ୍ଠାତା ଇଂ ସୁବ୍ରତ ଦାସ, ଯୁବନେତା ଆନନ୍ଦ ଜେନା, ଆଠଗଡ ବିଜୁ ଜନତା ଦଳର ସଭାପତି ରବିନ୍ଦ୍ର ନାଥ ରାଉତ, ବିଧାୟକଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ କଖଡି ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି, ମଞ୍ଚେଶ୍ୱର ପଞ୍ଚାୟତ ସରପଞ୍ଚ ପ୍ରିୟବ୍ରତ ସାହୁ, ସମିତି ସଭ୍ୟ ଅଶୋକ କୁମାର ଖଟୁଆ, ପୂର୍ବତନ ସରପଞ୍ଚ ହୃଦାନନ୍ଦ ସାମନ୍ତ, ଶ୍ରୀକର ଜେନା, ଦିଲ୍ଲୀପ କୁମାର ଛତାର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଓ ଦଳୀୟ କର୍ମୀଙ୍କ ସହିତ ଟାଟା ପାୱାରର ବରିଷ୍ଠ କର୍ମକର୍ତ୍ତା ଭୁବନେଶ୍ୱର ପାୱାର ପ୍ଲାଣ୍ଟର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ସ୍ୱର୍ଗତ ସେଠୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗାଁ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସଂପାଦନ ହୋଇଥିଲା। ତାଙ୍କର ଏକମାତ୍ର ପୁତ୍ର ମନୋରଞ୍ଜନ ମୁଖାଗ୍ନି ପ୍ରଦାନ କରିଥିଲେ।

Comments are closed.