‘ସମାଜ’ର ଯୁଗ୍ମ ମୁଖ୍ୟ ପରିଚାଳକଙ୍କ ମାତୃ ବିୟୋଗ

ଭୁବନେଶ୍ବର: ‘ସମାଜ’ର ଯୁଗ୍ମ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତିଙ୍କ ମା’ ତଥା ସ୍ବର୍ଗତ ଗୋଲକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଶକୁନ୍ତଳା ମହାନ୍ତିଙ୍କ ସୋମବାର ସକାଳେ ସହିଦନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଶ୍ରୀ ମହାନ୍ତି, ପୁତ୍ରବଧୂ ସାଗରିକା ସାମନ୍ତରାୟ, ନାତି ଚନ୍ଦ୍ରାୟନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁତ୍ର ପ୍ରିୟବ୍ରତ ମୁଖାଗ୍ନି ଦେଇଥିଲେ।

କେନ୍ଦ୍ରାପଡ଼ା ଜିଲାର ମୂଳ ବାସିନ୍ଦା ସ୍ବର୍ଗତା ମହାନ୍ତି ଜଣେ ପରୋପକାରୀ, ମେଳାପି ଓ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିଲେ। ସ୍ବାମୀ ସ୍ବର୍ଗତ ଗୋଲକ ବାବୁ ସ୍ବାଧୀନତା ଆନ୍ଦୋଳନ ସହ ସମ୍ପୃକ୍ତ ଥିଲେ। ତାଙ୍କ ପରଲୋକ ଖବର ପାଇ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ସେହିପରି ଶ୍ରୀମତୀ ମହାନ୍ତିଙ୍କ ବିୟୋଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ସାଂସଦ ଅଚ୍ୟୁତ ସାମନ୍ତ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାର, ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଆଜୀବନ ସଦସ୍ୟ ଦୀପକ ମାଲବ୍ୟ, ଭୀମସେନ ଯାଦବ, ଆଜୀବନ କର୍ମୀ ରାଜେନ୍ଦ୍ର ଜେନା, ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ, ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ‘ପ୍ରଗତିବାଦୀ’ର ସମ୍ପାଦକ ସମାହିତ ବଳ, ‘ସମ୍ବାଦ’ର ପ୍ରକାଶକ ଓ ମୁଦ୍ରାକର କମଳାକାନ୍ତ ମହାପାତ୍ର, ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ବିମଳ ଦାସ, ‘ସମାଜ’ର ବରିଷ୍ଠ ଅଧିକାରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

Comments
Loading...