ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ

ପିପିଲି :ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଅର୍ଜ୍ଜୁନସିଂହପୁର ଗ୍ରାମର ଜନୈକା ବିବାହିତା ମହିଳା ଅନସୂୟା ସ୍ୱାଇଁ ଓରଫ ରିନା (୪୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତାଙ୍କ ଭାଇ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପିପିଲି ପୁଲିସରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ଅଭିଯୋଗ ଅନୁଯାଇ, ଅର୍ଜ୍ଜୁନସିଂହପୁର ଗ୍ରାମର ଅଭିମନ୍ୟୁ ସ୍ୱାଇଁ ଓରଫ କାଳିଆଙ୍କ ବିବାହ ଗତ ୨୦ ବର୍ଷ ତଳେ ନିମାପଡା ଥାନା ଅନ୍ତର୍ଗତ ମାଗୁଣିଛନ୍ଦା ଗ୍ରାମର ନକୁଳ ସ୍ୱାଇଁଙ୍କ କନ୍ୟା ଅନସୂୟା ଓରଫ ରିନାଙ୍କ ସହ ହୋଇଥିଲା। ବିବାହ ପରଠାରୁ ରିନାଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ନାନା ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ଗତ ୨୦/୨୫ ଦିନ ତଳେ ମଧ୍ୟ ତାଙ୍କୁ ମାଡ ମରାଯିବା କାରଣରୁ ସେ ବାପ ଘରକୁ ପଳାଇ ଯାଇଥିଲେ। ତେବେ ସେଠାରୁ ତାଙ୍କୁ ସ୍ୱାମୀ ବୁଝାସୁଝା କରି ଘରକୁ ଆଣିଥିବା ବେଳେ ଗତକାଲି ରାତିରେ ତଳେ ପଡି ରିନା ମରିଯାଇଥିବା ସଂପର୍କରେ ଫୋନ୍ ଯୋଗେ ଖବର ପାଇ ତାଙ୍କ ଭାଇ ବାନାମ୍ବର ସ୍ୱାଇଁ ଅର୍ଜ୍ଜୁନସିଂପୁର ଗ୍ରାମକୁ ଆସିଥିଲେ। ମୃତଦେହର ପାରିପାର୍ଶ୍ବିକ ସ୍ଥିତି ଓ ନାକରୁ ଫେଣ ବାହାରୁଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା। ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ନେଇ ସେ ଆଜି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଓ ସାତଶଙ୍ଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାସ ପ୍ରମୁଖ ପୁରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। ଏନେଇ ପିପିଲି ପୁଲିସରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ମୃତା ମହିଳାଙ୍କର ଦୁଇଟି ପୁତ୍ର ସନ୍ତାନ ଥିବା ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।