ଜଣେ ବ୍ୟକ୍ତିର ୨ଟି ମୃତ୍ୟୁ ପ୍ରମାଣପତ୍ର ପ୍ରସଙ୍ଗ – କ୍ରାଇମବ୍ରାଞ୍ଚ ତଦନ୍ତ କର : ଉଚ୍ଚ ନ୍ୟାୟାଳୟ

କଟକ: ଜଣେ ବ୍ୟକ୍ତିଙ୍କ ରହିଛି ଦୁଇଟି ମୃତ୍ୟୁ ପ୍ରମାଣପତ୍ର। ଦୁଇଟି ମୃତ୍ୟୁ ତାରିଖ ମଧ୍ୟ ରହିଛି। ଦୁଇ ପକ୍ଷଙ୍କ ତରଫରୁ ଜଣେ ବ୍ୟକ୍ତିଙ୍କ ଦୁଇଟି ପୃଥକ ମୃତ୍ୟୁ ତାରିଖ ଥିବା ପ୍ରମାଣପତ୍ର ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ୨୦୦୬ରେ ହୋଇଥିବା ଘଟଣାକୁ ବିଚାରକୁ ନେଇ ଉଚ୍ଚ ନ୍ୟାୟାଳୟ ୨୦୧୯, ଜୁଲାଇ ୩୧ରେ ଯେଉଁ ରାୟ ପ୍ରଦାନ କରିଥିଲେ ତା’ର ପୁନର୍ବିଚାର ଆବେଦନ ଦାୟର କରାଯାଇଛି। ଏଭଳି ପୁନର୍ବିଚାର ଆବେଦନରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ୨୦୧୫ରେ ହୋଇଥିବା ଦର୍ଶାଯିବା ସହିତ ଏପରି ଯୁକ୍ତି ସପକ୍ଷରେ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଦାଖଲ କରାଯାଇଛି। କିନ୍ତୁ ଶୁଣାଣି ସମୟରେ ପ୍ରତିପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ୨୦୦୬ରେ ହୋଇଥିବା ଦର୍ଶାଇବା ସହିତ ଏ ନେଇ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିଛନ୍ତି। ଜଣେ ବ୍ୟକ୍ତିଙ୍କ ଦୁଇଟି ମୃତ୍ୟୁ ତାରିଖକୁ ନେଇ ବିବାଦ ଦେଖା ଦେଇଥିବାବେଳେ ଦୁଇଟି ମୃତ୍ୟୁ ପ୍ରମାଣପତ୍ର ଦାଖଲ କରାଯିବା ଘଟଣାକୁ ଉଚ୍ଚ ନ୍ୟାୟାଳୟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏଭଳି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। କଟକ କ୍ରାଇମବ୍ରାଞ୍ଚ ଏସପି ଏହି ଘଟଣାର ଯାଞ୍ଚ କରିବେ।

ମନୋରମା ନାୟକଙ୍କ ମୃତ୍ୟୁ ପ୍ରମାଣପତ୍ର ଜାଲ କରିବାକୁ ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ପ୍ରମାଣପତ୍ର ପ୍ରଦାନ କରିଥିବା କର୍ତ୍ତୃପକ୍ଷଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯିବ। ଏଥିରେ କିଛି ଜାଲିଆତି ଜଣାପଡ଼େ ତେବେ ଏପରି ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଥିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏ ସମ୍ପର୍କିତ ପୁନର୍ବିଚାର ଆବେଦନ (ରିଭ୍ୟୁ ପିଟିସନ୍)କୁ ଗ୍ରହଣ କରିବାକୁ ଉଚ୍ଚ ନ୍ୟାୟାଳୟ ମନା କରିବା ସହିତ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠତ ଖଣ୍ଡପୀଠ ଲୋହିତ ରାଉତ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି।

Comments are closed.