କାନ୍ଥରୁ ଲିଭିନି ବାହାଘର ଚିତା; ଜୁଇରେ ଜଳିଗଲେ ନବ ପ୍ରସୂତୀ

-ଶବ ବ୍ୟବଚ୍ଛେଦ ନହେବା ପଛରେ କାହାର ହାତ!

ଟିଟିଲାଗଡ଼: ନିରାପଦ ମାତୃତ୍ୱ ନେଇ ସରକାରୀ ସ୍ତରରେ ଯେତେ ଡିଣ୍ଡିମ ପିଟା ଚାଲିଥିଲେ ମଧ୍ୟ ଦେଶରେ ପ୍ରସୂତି ମହିଳା ତଥା ଶିଶୁଙ୍କ ସୁରକ୍ଷା ବିପଦାପନ୍ନ ହେବା ଚିନ୍ତାର କାରଣ ସାଜିଛି। ମାତୃ ସୁଖ ଭୋଗ କରିବା ପାଇଁ ଆତୁର ନିରୀହ ମହିଳା ମୃତ୍ୟୁ ସହ ସଂଗ୍ରାମ କରି ଅକାଳରେ ଜୀବନ ହାରୁଛନ୍ତି। ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା ଥାନା ନାରିକଟା ଗ୍ରାମର କୃଷ୍ଣ ବାଗ ଏବଂ ନୁଆଦେଇଙ୍କ ଝିଅ ତଥା ବେନିଆବନ୍ଧ ଗ୍ରାମର ରଞ୍ଜନ ଦୀପଙ୍କ ପତ୍ନୀଙ୍କ ଶିଶୁ ସନ୍ତାନ ଜନ୍ମ ପରେ ଦୀର୍ଘ ୫ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ ଜାରି ରଖି ଶେଷରେ ଆଖି ବୁଜିଛି। ମାତୃହରା ଶିଶୁ ସନ୍ତାନ ତଥା ପରିବାରବର୍ଗଙ୍କୁ ସଙ୍ଖୋଲିବାକୁ ଉଭୟ ଗ୍ରାମରେ ବନ୍ଧୁ ପରିଜନ, ଗ୍ରାମବାସୀଙ୍କ ସୁଅ ଛୁଟିଛି।

ଶୁକ୍ରବାର ୱାର୍ଲ୍ଡ ହ୍ୟୁୁମାନ ରାଇଟ୍ସ ପ୍ରୋଟେକ୍ସନ ଅରଗାନାଇଜେସନ (ଡବ୍ଲୁଏଚଆରପିଓ)ର ବଲାଙ୍ଗିର ଜିଲା ଅଧ୍ୟକ୍ଷ ଆଇନଜୀବୀ ବିରେନ୍ଦ୍ର ବାଗ ଗ୍ରାମକୁ ଗସ୍ତ କରି ମୃତା ଅଞ୍ଜୁଙ୍କ ପରିବାରବର୍ଗଙ୍କୁ ସାକ୍ଷାତ ସହ ସମବେଦନା ଜଣାଇଛନ୍ତି। ବଡମାଲ ଗୋଳାବାରୁଦ କାରଖାନା ନିର୍ମାଣ ନେଇ ବିସ୍ଥାପିତ ହୋଇ ପରିବାର ନାରିକଟା ନୁଆ ବସ୍ତିରେ ରହୁଛନ୍ତି। ସେହି ପୁରୁଣା ମାଟି ଖପର ଘର କାନ୍ଥରେ ଗତ ବର୍ଷ ଏପ୍ରିଲରେ ଝିଅକୁ ବାହା କରି ବିଦା କରିଥିଲ ମା’ ନୁଆଦେଇ। ଅଞ୍ଜୁ ଚାଲିଗଲେ କିନ୍ତୁ କାନ୍ଥରେ ବିବାହ ବେଳର ସଙ୍କେତ ପରିବାର ପାଇଁ ଅଲିଭା ହୋଇ ରହିଛି। ଝିଅର ମୃତ୍ୟୁ ପରଠାରୁ ମା ବିଛଣାରୁ ଉଠି ପାରୁନାହାନ୍ତି। କାନ୍ଦ ବୋବାଳି ବନ୍ଦ ହେଉନି। ଚାରି ଝିଅ ଏବଂ ଦୁଇ ପୁତ୍ରଙ୍କ ମଧ୍ୟରୁ ସବା ସାନ ଥିଲେ ଅଞ୍ଜୁ। ହେଲେ ନୁଆ ସଂସାର ଗଢିବାକୁ ତାଙ୍କ ଅସୁମାରି ସ୍ୱପ୍ନ ଚୁନା ହୋଇ ସେ ଏବେ ଆରପାରିରେ। ମାନବାଧିକାର କର୍ମୀ ଶ୍ରୀ ବାଗଙ୍କୁ ପରିବାରବର୍ଗଙ୍କ କହିବା ଅନୁଯାୟୀ ଗତ ଗୁରୁବାର ରାତିରେ ଅଞ୍ଜୁଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ବଲାଙ୍ଗିର ସହରର ସମଲେଶ୍ୱରୀ ମଲଟି ସ୍ପେସାଲିଟି ହସପିଟାଲ ନାମକ ଏକ ଘରୋଇ ନର୍ସିଙ୍ଗ ହୋମକୁ ନେଇ ପହଂଚିଥିଲେ। ଏନେଇ ଉକ୍ତ ନର୍ସିଙ୍ଗ ହୋମର କର୍ମଚାରୀ କୋଉ ଡାକ୍ତର ଆସିବେ ବୋଲି ପଚାରିଥିଲେ। ତେବେ ଆମେ କୌଣସି ଡାକ୍ତରଙ୍କୁ ଦେଖା କରିନାହୁଁ ବୋଲି ପରିବାର ଲୋକେ କହିଥିଲେ। ପରେ ସେଠାକୁ ଡାକ୍ତର ଆସି ପହଂଚିବା ପରେ ଅପରେସନ ଥିଏଟରରେ ଅଞ୍ଜୁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ତାପରଠାରୁ ଅଞ୍ଜୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। କିଛି ନୁହେଁ ସବୁ ଭଲ ଅଛି ବୋଲି ନର୍ସିଙ୍ଗ ହୋମ କତୃପକ୍ଷ ବାରମ୍ବାର କହୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଡାକ୍ତରଙ୍କ ବରାଦ ମୁତାବକ ୨ ଦିନରେ ଦୁଇ ୟୁନିଟ ରକ୍ତ ମଧ୍ୟ ପରିବାର ଲୋକେ ଯୋଗାଡ କରି ଆଣିଥିଲେ। ରବିବାର ଅପରାହ୍ନରେ ଅଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା କହି ନର୍ସିଙ୍ଗ ହୋମ କର୍ତ୍ତୃପକ୍ଷ ବୁର୍ଲା ସ୍ଥିତ ଶାଖା ଡାକ୍ତରଖାନାକୁ ନେଇଯିବାକୁ କହିଥିଲେ। ସାଙ୍ଗରେ ଦୁଇ କର୍ମଚାରୀ ମଧ୍ୟ ଯାଇଥିଲେ। ହେଲେ ସେ ସମୟକୁ ଅଞ୍ଜୁଙ୍କ ମୃତ୍ୟୁ ହୋଇସାରିଥିବା ପରିବାର ଲୋକେ କହିଛନ୍ତି। ଗାଡିରେ ଯିବା ବେଳେ ଅଞ୍ଜୁଙ୍କ ଭାଇ ସାଙ୍ଗରେ ଥିବା ନର୍ସିଙ୍ଗ ହୋମ କର୍ମଚାରୀଙ୍କୁ ମୋ ଭଉଣୀର ନାଡି ବନ୍ଦ ଅଛି ବୋଲି ବାରମ୍ବାର କହୁଥିଲେ ମଧ୍ୟ ଶୁଣିନଥିବା ଅଭିଯୋଗ କରିଛନ୍ତି। ସେଠାରେ ମଧ୍ୟ ପ୍ରଥମେ ଟଙ୍କା ଜମା କରିବାକୁ ପଡିଥିଲା। ଅଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିବା ସେଠାରେ ଡାକ୍ତର କହିଥିବା ଜଣାଯାଇଛି। ତେବେ ମଙ୍ଗଲବାର ସକାଳୁ ଅଞ୍ଜୁଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ।

ଏନେଇ ଦୁଃଖରେ ଭାଙ୍ଗିପଡିଥିବା ପରିବାର ଲୋକେ ଅଞ୍ଜୁଙ୍କ ମୃତଦେହ ଧରି ବଲାଙ୍ଗିର ସମଲେଶ୍ୱରୀ ନର୍ସିଙ୍ଗ ହୋମରେ ପୁର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନ୍ୟାୟ ଦାବି କରି ଘେରାଉ କରିଥିଲେ। ଖବର ପାଇ ବଲାଙ୍ଗିର ପୁଲିସ ମଧ୍ୟ ପହଂଚିଥିଲା। ହେଲେ ପରିବାରବର୍ଗଙ୍କୁ କରୋନା ଭୟ ଦେଖାଇ ସେଠାରୁ ବିଦାୟ କରିବାକୁ ଚେଷ୍ଟା କରାଯାଇଥିଲା। ଏପରିକି ଏସପି ତୁରନ୍ତ ସ୍ଥାନ ଖାଲି କରିବାକୁ ବାରମ୍ବାର ତାଗିଦ କରୁଥିବା ପରିବାର ଲୋକଙ୍କୁ ଚେତାଇ ଦିଆଯାଇଥିଲା। ଶେଷରେ ନିରାଶ ହୋଇ ପରିବାର ଲୋକେ ଘରକୁ ଫେରି ମଙ୍ଗଳବାର ସନ୍ଧ୍ୟାରେ ଅଞ୍ଜୁଙ୍କ ମୃତଦେହ ସଂସ୍କାର କରିଥିଲେ। ଶୁକ୍ରବାର ଶିଶୁ ପୁତ୍ର ଜନ୍ମ ପରଠାରୁ ଅଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଚାଲିଥିଲା। ହେଲେ ନର୍ସିଙ୍ଗ ହୋମ ଡାକ୍ତର ନିଜ ଦୋଷ ତୃଟି ଲୁଚାଇବା ପାଇଁ ଗୋଟିଏ ପରେ ଗୋଟିଏ ଚାଲ କରିଥିବା ଅଭିଯୋଗ ହୋଇଛି। ଅଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯଦି ଖରାପ ଆଡକୁ ଗତି କରୁଥିଲା ତା ହେଲେ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ଡାକିବା ତଥା ପରିବାର ଲୋକଙ୍କୁ ସତକଥା କହିବା ବଦଲରେ ସବୁ ଠିକ ଅଛି ବୋଲି କହିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ। ଅଞ୍ଜୁଙ୍କ ସ୍ୱାଭାବିକ ପ୍ରସବ ହୋଇଥିବା ବେଳେ ଟଙ୍କା ଆଶାରେ ସିଜରିଂ କରାଯିବା ବେଳେ ଡାକ୍ତର ଗୁରୁତର ତୃଟି କରିଥିଲେ। ଏନେଇ ଅପରେସନ ଥିଏଟର ଭିତରେ ଡାକ୍ତର ନର୍ସଙ୍କ ମଧ୍ୟରେ ଆଲୋଚନା ସମୟରେ ବେଡରେ ଥିବା ଅଞ୍ଜୁ ସବୁ ଶୁଣି ମୃତ୍ୟୁ ପୁର୍ବରୁ ନିଜ ବଡ ଭଉଣୀ ରଞ୍ଜୁଙ୍କୁ ସବୁ କଥା କହିଥିବା ଜଣାଯାଇଛି।

ଅନ୍ୟପକ୍ଷରେ ନର୍ସିଙ୍ଗ ହୋମ କତୃପକ୍ଷଙ୍କ ଅବହେଲା ନେଇ ଅଞ୍ଜୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଜିଲା ମୁଖ୍ୟାଳୟରେ ନର୍ସିଙ୍ଗ ହୋମ ଘେରାଉ କରିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ରହିବା ଚକିତ କରିଛି। ପରିବାର ଲୋକଙ୍କ ଅଭିଯୋଗ ନେଇ ପୁଲିସ ମାମଲା ରୁଜୁ ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ବ୍ୟବସ୍ଥା ନକରିବା ସନ୍ଦେହଜନକ ବୋଲି ମାନବାଧିକାର କର୍ମୀ ଆଇନଜୀବୀ ବାଗ କ୍ଷୋଭ ପ୍ରକାଶ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲେ ଅନେକ ଗୁମର ଖୋଲିଥାନ୍ତା। ସତ୍ୟକୁ ଲୁଚାଇବାକୁ ଏନେଇ ଏକ ବଡ ଚକ୍ରାନ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି। ଖୋଦ ଜିଲା ମୁଖ୍ୟାଳୟରେ ଗରିବ ପରିବାର ନ୍ୟାୟରୁ ବଂଚିତ ହେଉଥିବା ବେଳେ କୋଣଅନୁକୋଣର ଅବସ୍ଥା କିଭଳି ହେଉଥିବା ତାହା ଅନୁମେୟ ବୋଲି ସେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ତାଙ୍କ ସଂଗଠନ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ବାଗ କହିଛନ୍ତି। ରାଜ୍ୟ ସରକାର ଏହାର ତଦନ୍ତ ସହ ଏଭଳି ନର୍ସିଙ୍ଗ ହୋମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ପରିବାରବର୍ଗଙ୍କୁ ଉଚିତ କ୍ଷତିପୁରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

Comments are closed.