ବନ୍ଦ କୋଠରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା?

କଳାପଥର(ବାଙ୍କୀ) : ବୈଦ୍ୟେଶ୍ୱର ଥାନା କଢାମଲ ପେଟ୍ରୋଲପମ୍ପ ନିକଟସ୍ଥ ଏକ ବନ୍ଦ କୋଠରୀରୁ ଆଜି ଅପରାହ୍ନରେ ଜଣେ ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପୁଲିସ୍‍ କୁ ଖବର ଦେଇଛନ୍ତି। ଘଟଣା ସ୍ଥଳରେ ପ୍ରଥମେ ବୈଦ୍ୟେଶ୍ୱର ପୁଲିସ ଓ ପରେ ମୃତ ବ୍ୟକ୍ତିଙ୍କ ମୃତଦେହକୁ ବେଗୁନିଆ ପୁଲିସ ଜବତ କରି ତଦନ୍ତ ଚଳାଇଛି। ମୃତ ଯୁବକଙ୍କ ସହିତ ଏକତ୍ର ରହୁଥିବା ଅନ୍ୟ ଦୁଇଜଣ ନିକଟ ସମ୍ପର୍କିୟଙ୍କୁ ପୁଲିସ୍‍ ଅଟକ ରଖି ତଦନ୍ତ ଚଳାଇଛି। ଏଥିନେଇ ସ୍ଥାନୀୟ ବେଗୁନିଆ ଥାନାରେ ଏକ ଅପମୃତ୍ୟୁ ମାମଲା ୧୫/୨୦ରୁଜୁ କରାଯାଇ ତଦନ୍ତ କରାଯାଉଛି। ମୃତଦେହ ବ୍ୟବଛେଦ ପରେ ଘଟଣାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ଜଣାଯାଇଛି ଯେ, ଭଞ୍ଜନଗର ଚାକୁଣ୍ଡପଲ୍ଲୀ ଅଞ୍ଚଳର ତିନିଜଣ ଯୁବକ ଏକ ବୋରୱେଲ କମ୍ପାନୀରେ କାମ କରୁଥିବା ବେଳେ ବୋଲଗଡ ଓ ଏହାର ଆଖପାଖ ଅଞ୍ଚଳରେ ବୋରୱେଲ ଖୋଳିବାପାଇଁ କମ୍ପାନୀ ସହାୟତାରେ ଏଠାକୁ ଆସିଥିଲେ। ସେମାନେ କଢାମଲ ନିକଟରେ ଥିବା କଳାପଥର ପେଟ୍ରୋଲ ପମ୍ପ ସମ୍ମୁଖ ଦୋକାନ ଘରେ ଭଡାରେ ଥିଲେ। ଗତ ୪-୫ ଦିନ ତଳେ ଏଠାକୁ ଆସିଥିବା କୁହାଯାଉଥିବାବେଳେ ଆଜି ସକାଳେ ୩ ଜଣ ଜାକ ମିଳିମିଶି ଏକତ୍ର ବୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଅପରାହ୍ନରେ କବାଟ ବନ୍ଦକରି ଅନ୍ୟ ଦୁଇଜଣ ବାହାରେ ବୁଲୁଥରବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା। ଏଥିନେଇ ସେମାନେ ଘର ମାଲିକଙ୍କୁ ଖବର ଦେଇଥିଲେ। ଏହି ଖବର ପାଇବାପରେ ଘର ମାଲିକ ପହଞ୍ଚି କବାଟ ଖୋଲିବାପରେ ରାଜେନ୍ଦ୍ରର ମୃତଦେହ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ବୈଦ୍ୟେଶ୍ୱର ଥାନାକୁ ଜଣାଇବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ଧଳାପଥର ଫାଣ୍ଡି ଓ ବେଗୁନିଆ ଥାନାକୁ ଅବଗତ କରାଯାଇଥିଲା। ବେଗୁନିଆ ପୁଲିସ୍‍ କଢାମଲ୍ଲ ନିକଟ ପେଟ୍ରୋଲ ପମ୍ପ ଛକ ଦୋକାନଘରୁ ମୃତ ରାଜେନ୍ଦ୍ର ନାୟକଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ମୃତ ରାଜେନ୍ଦ୍ର ସହିତ ଏକତ୍ର ରହୁଥିବା ଅନ୍ୟ ଦୁଇ ଜଣଙ୍କୁ ପୁଲିସ ପଚରାଉଚରା ପାଇଁ ଥାନାକୁ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ କହ୍ଲେଇ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏତଲା ଗ୍ରହଣ କରିଛି। ଆସନ୍ତାକାଲି ବ୍ୟବଛେଦ ରିପୋର୍ଟ ଆସିବାପରେ ପ୍ରକୃତ ଘଟଣା ଜଣାପଡିବ। ମୃତ ରାଜେନ୍ଦ୍ରର ପାଟିରୁ ରକ୍ତ ବାହାରୁଥିବା ଏହା ହତ୍ୟା ନା ଆତ୍ମହତ୍ୟା ସ୍ଥାନୀୟ ଲୋକମାନଙ୍କ ମନରେ ସନ୍ଦେହ ପ୍ରକାଶ ପାଉଛି।

Comments are closed.