ମୃତ୍ୟୁକୁ ବି କରୋନା ଡ଼ର ! ଶବକୁ ମିଳୁନାହିଁ ଚାରି କାନ୍ଧ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By Samaja Live On Apr 27, 2020 Share ଭୁବନେଶ୍ବର (ବ୍ୟୁରୋ): କରୋନା ବଦଳାଇଛି ମୃତ୍ୟୁର ପରିଭାଷା । କରୋନା ସଂକ୍ରମିତ ମୃତ୍ୟୁକୁ ଯେତେ ଡ଼ରୁ ନାହାନ୍ତି ମରିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାହାକୁ ଚିନ୍ତା କରି ବେଶୀ ଡ଼ରି ଯାଉଛନ୍ତି । ମୃତ୍ୟୁ ପରେ ମୃତକଙ୍କ ଶବ କେଉଁ ଅବସ୍ଥାରେ କେଉଁଠି ଅନ୍ତିମ ସଂସ୍କାର କରାଯିବ ତାହା ଅନେକଙ୍କୁ ବିବ୍ରତ କରି ପକାଉଛି । ବର୍ତମାନ କରୋନା ମୃତ୍ୟୁ ତ ଦୂରର କଥା, ଅନ୍ୟ ସାଧାରଣ ମୃତକଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିବାର ଆଶଙ୍କା ରହିଛି । ବାହାର ଲୋକ ତ ଦୂର କଥା, ଅତି ଆପଣାର ଲୋକମାନେ ବି ମର ଶରୀର ପାଖକୁ ଆସିବାର ସମ୍ଭାବନା ନାହିଁ । ଏମିତି ଅନେକ ଉଉଦାହରଣ ଘଟିଛି । ବାଲେଶ୍ବର ଜିଲାରେ ପ୍ରସବ କାଳରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଶବ ସତ୍କାର କରିବା ପାଇଁ ଗାଁ ଲୋକ ଏପରିକି ଆତ୍ମୀୟମାନେ ଆସିବାକୁ ମନା କରିଦେବା ପରେ ବିଚରା ସ୍ବାମୀ ଯେଉଁ ଅକଥନୀୟ ଦୁର୍ଦ୍ଦଶା ଭୋଗିଲେ ତାହା ଅକଳ୍ପନୀୟ । ଜୀବନକୁ ସବୁବେଳେ ମୃତ୍ୟୁ ଡ଼ରାଇଥାଏ । ମାତ୍ର ବୋଧହୁଏ ପ୍ରଥମଥର ପାଇଁ ମୃତ୍ୟୁ ନିଜେ ଡ଼ରିଥିବା ପରି ମନେ ହେଉଛି । ଏଇଥିପାଇଁ ଯେ ଯଦି ଏବେ ମରିଯାଏ ତେବେ କ’ଣ ହେବ ? ନା ଚାରିଜଣ କାନ୍ଧ ଦେବାକୁ ଆସିବେ ନା ଶ୍ମଶାନ କି କବରସ୍ଥାନରେ ସ୍ଥାନ ମିଳିବ ? ବର୍ତମାନ ସମୟରେ ଲୋକମାନେ ମୃତ୍ୟୁକୁ ଯେତିକି ଡ଼ରୁନାହାନ୍ତି ମରିବା ପର ସ୍ଥିତିକୁ ନେଇ ସେତିକି ଭୟ କରୁଛନ୍ତି । ମଧ୍ୟପ୍ରଦେଶରେ ଚମ୍ପାଝର ବୋଲି ଗୋଟିଏ ଗାଁରେ ସାଧାରଣ ମୃତ୍ୟୁବରଣ କରିଥିବା ନିଜ ବାପାଙ୍କ ଶବକୁ ଧନୀ ପୁଅ କରୋନା ଭୟରେ ନେବାପାଇଁ ମନା କରିବା ପରେ ତହସିଲଦାର ଅନ୍ତିମ ସଂସ୍କାର କରିବା ଉଦାହରଣ ଏହାଭିତରୁ ଗୋଟିଏ ।ଗୋଟିଏ ଭୂତାଣୁ ବଦଳାଇ ଦେଇଛି ମରିବାର ପରିଭାଷା, ଜୀଇବା ଓ ଜୀବନର କାହାଣୀ । ଜୀବନ-ମୃତ୍ୟୁ, ପ୍ରେମ-ସମ୍ପର୍କ, ପର-ଆପଣା ସବୁକିଛି ବଦଳାଇ ଦେଇଛି । ଏପରିକି ମୃତ୍ୟୁର ପରିଭାଷା ବି ଅଲଗା କରି ଦେଇଛି । ମୃତକଙ୍କୁ ବୋହିବାର ପ୍ରଥା, ଅନ୍ତିମ ସଂସ୍କାରର ବିଧି, ଶ୍ମଶାନ-କବରସ୍ତାନର ରାସ୍ତା, ମୃତକଙ୍କ ପାଦକୁ ଲୁହରେ ଭିଜାଇବାର ସ୍ଥିତି ବି ବଦଳାଇ ଦେଇଛି କରୋନା । ସତ କହିଲେ ତ ଏପରି ଭୟଙ୍କର ପରିସ୍ଥିତିରେ ମୃତ୍ୟକୁ ଲୋକମାନେ ଯେତିକି ଡ଼ରୁ ନାହାନ୍ତି ମରିବାକୁ ସେତିକି ଡ଼ରୁଛନ୍ତି । କରୋନା କାଳରେ ଯଦି ମୃତ୍ୟୁ ହୋଇଗଲା ଚାରି କାନ୍ଧ ତ ଦେବାକୁ କେହି ଆସିବେ ନାହିଁ, ସରକାରୀ ଗାଡ଼ିରେ ସରକାରୀ ଲୋକମାନେ ନେଇ କେଉଁଠି କେମିତି ପୋତିଦେବେ ତାହାର ପତ୍ତା ନାହିଁ । ଯେଉଁଠି କରୋନା ଭୟରେ ନିଜ ସମ୍ପ୍ରଦାୟର ଲୋକଙ୍କୁ କବର କରିବାକୁ ମନା ହୋଇ ଯାଉଛି, ଚିତା ଜାଳିବାକୁ ଗାଁ ଲୋକ ଦେଉ ନାହାନ୍ତି ସେଠି ମୃତ୍ୟୁ ଆଉ ମୃତ୍ୟୁ ପରର ସ୍ଥିତି ଅନୁମାନ କରି ଲୋକ ଡ଼ରି ଯାଉଛନ୍ତି । କରୋନା ମୃତକଙ୍କ ସମ୍ପର୍କରେ ଶୁଣାଯାଉଥିବା କାହାଣୀକୁ ଶୁଣି ଲୋକ ମରିବାକୁ ଭୟ କରୁଛନ୍ତି ।ବୋଧହୁଏ ଏଇଥିପାଇଁ ଯେ ମୃତ୍ୟୁ ଏପରି ଭୟଙ୍କର ରୂପ ପୂର୍ବରୁ କେବେ କେହି ଦେଖି ନ ଥିଲେ । କନ୍ଦାକଟା ତ ଦୂରର କଥା, କରୋନା ମୃତକଙ୍କ ଚେହେରା ଦେଖିବା ବି ସମ୍ଭବ ନୁହେଁ । କାଲିଫର୍ଣିଆ ଓ ବୋତସ୍ବାନାରେ ପରିବାରର ଲୋକମାନେ ନିଜ ସମ୍ପର୍କୀୟଙ୍କ ଶବକୁ ରାସ୍ତା ମଝିରେ ଛାଡ଼ି ଚାଲି ଯାଉଥିବାରୁ ଦୃଶ୍ୟ ବିଭିନ୍ନ ଟିଭିରେ ଦେଖିବାକୁ ମିଳୁଛି । ଭାରତରେ ବି ଏପରି ଘଟଣା ଦୁର୍ଲଭ ନୁହେଁ । ପରିବାର ଲୋକଙ୍କ ଅନିଚ୍ଛା ଯୋଗୁଁ ପୁଲିସ ଓ ପ୍ରଶାସନକୁ ଶବ ସତ୍କାର କରିବାକୁ ପଡ଼ୁଛି । ମୃତକଙ୍କ ଆତ୍ମା ତୃପ୍ତି ପାଇଁ କ୍ରିୟାକର୍ମ ପାଇଁ ଅସ୍ଥି ବି ନେବା ପାଇଁ ପରିବାର ଲୋକମାନେ ଆଗ୍ରହୀ ନୁହନ୍ତି । ଏହି ପ୍ରସଙ୍ଗରେ କେତୋଟି ଘଟଣା ଉପସ୍ଥାପନ କରିବା ଅଧିକ ଯଥୋଚିତ ହେବ- ପଞ୍ଜାବ: ହରମିନ୍ଦର ସାହିବର ପୂର୍ବ ମୁଖିଆ ପଦ୍ମଶ୍ରୀ ନିର୍ମଳ ସିଂହଙ୍କର କରୋନାରେ ମୃତ୍ୟୁ ଘଟିଥିଲା । ଅନ୍ୟ ସମୟରେ ଯଦି ତାଙ୍କର ମୃତ୍ୟୁ ଘଟିଥାଆନ୍ତା ତେବେ ହୁଏତ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଏହା ସମ୍ପନ୍ନ ହୋଇଥାଆନ୍ତା । ପୁରା ସହର ଶବ ଶୋଭାଯାତ୍ରାରେ ସାମିଲ ହୋଇଥାଆନ୍ତା । ମାତ୍ର ବିଡ଼ମ୍ବନା, ତାଙ୍କର ମୃତ୍ୟୁପରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ମିଳିଲା ନାହିଁ । ଗୋଟିଏ ଶ୍ମଶାନରେ ତାଲା ପକାଇ ଦିଆଗଲା ତ ଆଉ ଗୋଟିଏ ଶ୍ମଶାନ ସମ୍ମୁଖରେ ଲୋକମାନେ ଶବକୁ ଭିତରକୁ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଲେ । ତୃତୀୟ ଶ୍ମଶାନ କର୍ତ୍ତୃପକ୍ଷ ତ ହାତଗୋଡ଼ ଯୋଡ଼ି ଶବକୁ ଫେରାଇ ଦେଲେ । ଶେଷରେ ତାଙ୍କର ଅନ୍ତିମ ସଂସ୍କାର ଅଳ୍ପ କେତେ ଜଣଙ୍କ ଉପସ୍ଥିତିରେ ଦୂରରେ ଏକ କ୍ଷେତ ମଝିରେ କରିବାକୁ ପଡ଼ିଲା । ଛତିଶଗଡ଼: ଦନ୍ତେୱାଡ଼ା ଜିଲାର ଲଖନା (୨୨ ବର୍ଷ) କରୋନାରେ ମୃତ୍ୟୁବରଣ କରି ନ ଥିଲା । ମୃତ୍ୟୁର କାରଣ କିଛି ଭିନ୍ନ ଥିଲା । ମାତ୍ର ତାହାର ଦୁର୍ଭାଗ୍ୟ ଏୟା ଯେ ସେ କରୋନା ବ୍ୟାପିଥିବା ଭୟଙ୍କର ସମୟରେ ମୃତ୍ୟୁବରଣ କରିଥିଲା। ତାର ମୃତ୍ୟୁ ପୁରା ଦନ୍ତେୱାଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ପଡ଼ୋଶୀ କଥା ଛାଡ଼, ଆପଣାର ଲୋକମାନେ ବି ଲଖମାର ପାଖକୁ ଆସିଲେ ନାହିଁ । ଗାଁ ଲୋକମାନେ ତାହାର ଶବ ଶ୍ମଶାନରେ ସତ୍କାର କରିବାକୁ ମନା କରିଦେଲେ । ଶେଷରେ ତାର ପରିବାରର ଲୋକମାନେ ଗାଁ ପାଖରେ ଏକ ନାଳରେ ତାର ଶବକୁ ଭସାଇ ନିଜର କର୍ତବ୍ୟ ଶେଷ କରିଦେଲେ । ଗୁଜରାଟ: ଗୁଜରାଟରେ ସୁରତ ଅଞ୍ଚଳରେ ଜଣେ ବୟସ୍କ ଲୋକଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଥିଲା । ମୃତ୍ୟୁର କାରଣ ଜାଣିବା ପରେ ତାଙ୍କର ପରିବାର ଲୋକ ତ ଭୟଭୀତ ଥିଲେ । ଶେଷରେ ତାଙ୍କର ଶବକୁ ମହାନଗର ନିଗମ କର୍ମଚାରୀମାନେ ସତ୍କାର କଲେ । ଆଉ ମୃତକଙ୍କ ପରିବାର ଲୋକ ଶ୍ମଶାନ ବାହାରେ ଏକ ବସରେ ବସି ସେହି ଦୃଶ୍ୟ ଦେଖୁଥିଲେ । କେହି ଜଣେ ବି ପରିବାର ସଦସ୍ୟ ଶ୍ମଶାନ ଭିତରେ ମୃତକଙ୍କ ଚିତା ନିକଟକୁ ଆସିଲେ ନାହିଁ । ଝାଡ଼ଖଣ୍ଡ: ରାଞ୍ଚିରେ ଜଣେ ବ୍ୟକ୍ତିଙ୍କର କରୋନା ମୃତ୍ୟୁ ଘଟିଲା । ସହର ମଝିରେ ମୃତକଙ୍କ ଘର ଓ ସହ ମଧ୍ୟରେ କବରସ୍ତାନରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଅଳ୍ପ କେତେଜଣ ଲୋକ ବାହାରିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ କରୋନାରେ ହୋଇଥିବା ଖବର ସାରା ଅଞ୍ଚଳରେ ପ୍ରଚାର ହୋଇ ଯାଇଥିଲା । ଅଳ୍ପ ସମୟ ମଧ୍ୟରେ ଶହଶହ ଲୋକ କବରସ୍ତାନ ନିକଟରେ ରୁଣ୍ଡ ହୋଇଗଲେ ଓ ଫାଟକରେ ତାଲା ପକାଇଦେଲେ । ଶେଷରେ କବରସ୍ତାନରୁ ଶବ ଫେରିଲା ଓ ସହରଠାରୁ ବହୁ ଦୂରରେ ଅଜଣାସ୍ଥାନରେ ଶବକୁ କବର ଦିଆଗଲା । ଛିନ୍ଦୱାଡ଼ା: ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ କିଶନଲାଲଙ୍କ କାହାଣୀ ପୂର୍ବ ଉଦାହରଣଠାରୁ କିଛି ଭିନ୍ନ ନୁହେଁ । କରୋନାରେ କିଶନଲାଲ ମଲେ ନାହିଁ ଯେ ତାଙ୍କର ପୁରା ପରିବାର ପର ହୋଇଗଲେ । ପ୍ରଶାସନ କିଶନଲାଲ ପରିବାରକୁ ତାଙ୍କର ମୃତ୍ୟୁ ଖବର ପଠାଇଲେ । ସହରର ଏକ ଶ୍ମଶାନରେ ଅନ୍ତିମ ସଂସ୍କାର ବ୍ୟବସ୍ଥା କଲେ, ଅନ୍ତିମ ସଂସ୍କାର ସମୟ ବି କୁହାଗଲା । ହେଲେ ଦୀର୍ଘ ସମୟ ପ୍ରତୀକ୍ଷା ପରେ କିଶନଲାଲଙ୍କ ପରିବାରର କେହି ଲୋକ ଶ୍ମଶାନରେ ପହଞ୍ଚିଲେ ନାହିଁ । ଶେଷରେ ପ୍ରଶାସନ ଶବ ସତ୍କାର କରିବାକୁ ବାଧ୍ୟ ହେଲା । Corona virus Share FacebookTwitterWhatsApp
Comments are closed.