ଯୁବକଙ୍କୁ ହତ୍ୟା କରି ପୋଡି ଦେବା ଘଟଣା : ୨ ହତ୍ୟାକାରୀ ଗିରଫ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର କୁଡ୍‍ପାଗୁଡି ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରି ପୋଡି ଦିଆଯାଇଥିବା ଘଟଣାରେ ସପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ରବିବାର ବ୍ରାହ୍ମଣୀଗାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସମ୍ପୃକ୍ତ ଯୁବକ ହେଲେ ସୁମନ୍ତ ମଲ୍ଲିକ ଏବଂ କୁଟ୍ରାସା ମଲ୍ଲିକ ।

ସୂଚନା ଅନୁଯାୟୀ, ଗତ ୩ ତାରିଖ ସନ୍ଧ୍ୟା ସମୟରେ କୁଡ୍‍ପାଗୁଡି ଗ୍ରାମର ସୁଦାମ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ କୁଡିଆରେ ରୋଷେଇ କରୁଥିବା ବେଳେ ଦୁଇଜଣ ଲୋକ କୁଡିଆ ନିକଟରେ ପହଞ୍ଚି ହଠାତ ଆକ୍ରମଣ କରି ମାରିଦେଇ ଥିଲେ। ଗତ ୧୧ ତାରିଖ ଦିନ ମୃତକଙ୍କ ଭାଇ ପ୍ରତାପ ମଲ୍ଲିକ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ କନ୍ଧମାଳ ଏସ୍‍.ପି ପ୍ରତିକ ସିଂଙ୍କ ତତ୍ୱାବଧାନରେ ଏକ ସାଇଣ୍ଟିଫିକ ଦଳ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ଏସ୍‍.ଆଇ. ସଂଗ୍ରାମ୍‍ କେଶରୀ ଜେନା ସମେତ ସୁରକ୍ଷା କର୍ମୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କେଶ ନଂ ୦୭/୨୦ରେ ଧାରା ୩୦୨/୨୦୧/୫୦୬/୩୪ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ଅଭିଯୁକ୍ତଙ୍କର ବୟାନ ଅନୁଯାୟୀ,  ମୃତ ବ୍ୟକ୍ତି ଜଣକ ସୁମନ୍ତର ସମ୍ପର୍କୀୟ ଭାଇ ଅର୍ଥାତ ବଡବାପାଙ୍କ ପୁଅ। ସେ ତାଙ୍କ ଭୂ-ସମ୍ପତି ଉପରେ ଲୋଲୁପ ଦୃଷ୍ଟି ରଖି ତାନ୍ତ୍ରୀକ ବିଦ୍ୟା କରି ମାରିଦେବାକୁ ଧମକ ଦେଇଥିଲେ ଏବଂ ତାନ୍ତ୍ରୀକ ବିଦ୍ୟା ଅଭ୍ୟାସ କରୁ ଥିଲେ ଏଣୁ ନିଜକୁ ବିପଦ ଆସିବା ପୂର୍ବରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ନିଜେ ନିଷ୍ପତ୍ତି ନେଇ ଏହି ପ୍ରକାର କାଣ୍ଡ ଭିଆଇଥିବା ସୁମନ୍ତ ସ୍ବୀକାର କରିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ କହିଛନ୍ତି।

Comments are closed.