ଟ୍ରେନ୍‍ରୁ ଖସି ଦୁଇ ମୃତ

0

ନନ୍ଦନକାନନ/ଖୋର୍ଦ୍ଧା : ଟ୍ରେନ୍‍ରୁ ଖସି ପୃଥକ୍‍ ସ୍ଥାନରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। କଳାରାହାଙ୍ଗ ଗ୍ରାମ ନିକଟ ରେଳଫାଟକ ପାଖରେ ଚଳନ୍ତା ଟ୍ରେନ୍‍ରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ କଟକ ଜିଲା ବଡ଼ମଛପୁର ଗ୍ରାମର ସୁମିତ୍ରା ମଲିକ(୨୬) ବୋଲି ଜଣାପଡ଼ିଛି। ସେ ରବିବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବାରଙ୍ଗ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟ୍ରେନ୍‍ରୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ। ଭାରସାମ୍ୟ ହରାଇ ରେଳ ଧାରଣା ମଝିରେ ଖସି ପଡ଼ିବାରୁ ମୁଣ୍ଡରେ ଆଘାତ ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ମଞ୍ଚେଶ୍ୱର ଜିଆରପି ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମହିଳାଙ୍କ ନିକଟରୁ ମିଳିଥିବା ଭୋଟ ପରିଚୟ ପତ୍ରରୁ ତାଙ୍କ ସ୍ୱାମୀ ବୁଲୁ ମଲ୍ଲିକଙ୍କ ସହ ପୁଲିସ ଯୋଗାଯୋଗ କରିଥିଲା ଓ ମହିଳାଙ୍କ ସହିତ ଥିବା ତାଙ୍କର ୪ ବର୍ଷର ଝିଅକୁ ହସ୍ତାନ୍ତର କରିଥିଲା। ମହିଳା ଜଣକ ପଟିଆ ନିକଟ ପ୍ରଶାନ୍ତିବିହାରସ୍ଥିତ ତାଙ୍କ ଭଉଣୀ ଘରକୁ ଯାଉଥିଲେ।
ସେହିପରି ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କୃଷ୍ଣଶରଣପୁର ଗ୍ରାମର ପିଙ୍କୁ ପ୍ରଧାନ। ପ୍ରକାଶ ଯେ ବେଗୁନିଆ ବ୍ଲକ ସାନପଦର ପଞ୍ଚାୟତ କୃଷ୍ଣଶରଣପୁର ଗ୍ରାମର ପିଙ୍କୁ ସୁନାଖଳାଠାରୁ ପୁରୀ ଅଭିମୁଖେ ଏକ ଟ୍ରେନ୍‍ରେ ଯାଉଥିଲେ। ତେବେ ସାନପଦର ରେଲୱେ କ୍ରସିଂଠାରେ ସେ ଟ୍ରେନରୁ ଖସିପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରେଳବାଇ ପୁଲିସ ମୃତଦେହ ଜବତ କରିଥିବା ବେଳେ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Leave A Reply