ବିନୟ କୁମାର ସାହୁଙ୍କ ପରଲୋକ

0

ତିଗିରିଆ :ନୂଆପାଟଣା ନିବାସୀ ପ୍ରତିଭାବାନ ବ୍ୟକ୍ତି ବିନୟ କୁମାର ସାହୁଙ୍କ ବୃକକ୍‍ଜନିତ ରୋଗରେ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଗୁରୁତର ଅସୁସ୍ଥ ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହାସପାତାଳରେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କୁ ନୂଆପାଟଣାସ୍ଥିତ ବାସଭବନକୁ ଅଣାଯାଇଥିଲା। ସେ ରାଜ୍ୟ ସମବାୟ ଆନ୍ଦୋଳନର ଜଣେ ସଫଳ ଉଦ୍ୟୋକ୍ତା ଭାବେ ପରିଚିତ। ହସ୍ତତନ୍ତର ଉନ୍ନତି ଦିଗରେ ତାଙ୍କର ଅବଦାନ ଅତୁଳନୀୟ। ନୂଆପାଟଣା ଅଞ୍ଚଳରେ ବହୁ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦନ କରିବା ସହିତ ଶିକ୍ଷାର ପ୍ରସାର ଦିଗରେ ବ୍ରତୀହୋଇ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ଶ୍ରୀଜଗନ୍ନାଥ ସମବାୟ ସୂତାକଳ ନୂଆପାଟଣା ଓ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର ଥିଲେ। ଏହାବ୍ୟତୀତ ଚୈତନ୍ୟ ସାହୁ ବିଜ୍ଞାନ ମହାବିଦ୍ୟାଳୟ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଭାପତି, କଳାପାଟ ବୁଣାକାର ସହଯୋଗ ସମିତି ଓ ଶ୍ରୀଅରବିନ୍ଦ ବୁଣାକାର ତନ୍ତୁବାୟ ସହଯୋଗ ସମିତିର ପ୍ରତିଷ୍ଠାତା ସଭାପତି ଓ ଷ୍ଟେଟ ହ୍ୟାଣ୍ଡଲୁମ ଡବ୍ଲୁସିଏସ୍‍ର ଉପସଭାପତି ଭାବେ ଦୀର୍ଘଦିନ ଧରି ସୁଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରି ସୁଖ୍ୟାତି ଅର୍ଜନ କରିଥିଲେ। ମୃତ୍ୟୁ ସମ୍ବାଦ ପାଇଁ ଶହଶହ ବ୍ୟକ୍ତି ଶେଷ ଦର୍ଶନ ପାଇଁ ତାଙ୍କର ବାସଭବନରେ ଉପସ୍ଥିତ ଥିଲେ। ତାଙ୍କର ସହପାଠୀ ତଥା ଅନ୍ତରଙ୍ଗ ବନ୍ଧୁ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ତାଙ୍କର ଶେଷଦର୍ଶନ କରି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କ ଅବସାନ ଘଟିଲା ବୋଲି କହିଛନ୍ତି। ତାଙ୍କ ମୃତ୍ୟୁରେ ତତ୍କାଳୀନ ବୟନଶିଳ୍ପ ନିର୍ଦେଶକ ତଥା ଅବସରପ୍ରାପ୍ତ ରାଜ୍ୟ ଉନ୍ନୟନ କମିସନର ଶ୍ରୀନିବାସ ରଥ ଗଭୀର ଶୋକପ୍ରକାଶ କରି ରାଜ୍ୟ ସମବାୟ ଆନ୍ଦୋଳନରେ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱଙ୍କର ଶୂନ୍ୟତା ସୃଷ୍ଟି ହେଲା ବୋଲି ହକିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଓ ଦୁଇ କନ୍ୟା ଏବଂ ଭାଇ, ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ।

Leave A Reply