ଲଣ୍ଡନର ୬୯ ବର୍ଷ ପୂର୍ବ ଘାତକ କୁହୁଡ଼ି

୧୯୫୨ ମସିହା ଡିସେମ୍ବର ମାସର ଘଟଣା, ବର୍ଷର ଏଇ ଶେଷ ଆଡ଼କୁ ଲଣ୍ଡନରେ ଅଧିକ ଶୀତ ଅନୁଭୂତ ହୁଏ। ସେତେବେଳେ ମଧ୍ୟ ସେଭଳି ସମାନ ପରିସ୍ଥିତି, ଶୀତ ସହ କୁହୁଡ଼ିରେ ଲଣ୍ଡନ ସହର କବଳିତ। ସେଇ ବର୍ଷ ପରିବେଶ ପରିବର୍ତ୍ତନ କାରଣରୁ କୁହୁଡ଼ି କମ୍ ହେଉନଥାଏ, ଡିସେମ୍ବର ୫-୯ ମଧ୍ୟରେ ଘନ କୁହୁଡ଼ି ପାଇଁ ସେଠାରେ ଲୋକମାନେ ଅକାଳରେ ପ୍ରାଣ ହରାଇଲେ। ପରିବେଶ ବିଷାକ୍ତ ହେବା ପ୍ରଥମ କାରଣ ଥିଲା, ଅନ୍ୟ ଅସୁବିଧା ଥିଲା କୁହୁଡ଼ିରେ ଯାତାୟାତ କରି ଲୋକେ ଦୁର୍ଘଟଣାରେ ପ୍ରାଣ ହରାଇଲେ। ବ୍ରିଟେନ୍ ଇତିହାସରେ ଏହି କୁହୁଡ଼ିର ଘଟଣାକ୍ରମ ଉଲ୍ଲେଖ ହେବା ସହ ବିଶେଷଜ୍ଞଦଳ ଏହାର ନାମାଙ୍କନ ‘ଗ୍ରେଟ୍ ସ୍ମଗ୍ ଅଫ୍ ଲଣ୍ଡନ’ କଲେ। ୪ଦିନ ମଧ୍ୟରେ କୁହୁଡ଼ିର ପ୍ରଭାବ ବଢ଼ିବା ସହ ଗୋଟିଏ ମିଟର ଦୂରତାରେ ଥାଇ ମଧ୍ୟ ପରସ୍ପରକୁ କେହି ଦେଖିପାରୁନଥିଲେ। ଦିନବେଳାର ପରିସ୍ଥିତି ଠାରୁ ରାତିବେଳା ଅଧିକ ବିପଜ୍ଜନକ ହେଲା, ସଂଖ୍ୟାଧିକ ଗାଡ଼ିମଟର ଦୁର୍ଘଟଣା ହେଲା। ସେଇ ସମୟର ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଦୁର୍ଘଟଣା ସ୍ଥାନରେ ଆହତ ଲୋକଙ୍କୁ ଚିକିତ୍ସାଳୟ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିପାରୁନଥିଲା। ଲଣ୍ଡନର ଚର୍ଚ୍ଚିତ ଥେମସ୍‌ ନଦୀ ପାଖ ଦେଇ ଯାଉଥିବା ଲୋକେ ନଦୀକୁ ଦେଖିନପାରି ସେଠି ମଧ୍ୟ ବୁଡ଼ି ପ୍ରାଣ ହରାଇଲେ। ପ୍ରଥମେ ସରକାରୀ ସୂତ୍ର ଅନୁସାରେ ଘୋଷଣା କରାଗଲା ଯେ ଏଇ ଲଣ୍ଡନ କୁହୁଡ଼ିରେ ୪ହଜାର ଲୋକ ପ୍ରାଣ ହରାଇଛନ୍ତି। ପରବର୍ତ୍ତୀ ସମୟରେ ପୁଣି ଅନୁଧ୍ୟାନ କରାଯିବା ପରେ ଜଣାପଡ଼ିଥିଲା, ୧୦-୧୨ହଜାର ଲୋକ ଅକାଳରେ ମରିଥିଲେ। ଘର ବାହାରେ ନୁହେଁ ଘର ଭିତରେ ମଧ୍ୟ ଏଇ ବିଷାକ୍ତ କୁହୁଡ଼ି ପ୍ରଭାବ ପକାଇଥିଲା। ପରିସ୍ଥିତି ଏଭଳି ହେଲା ଯେ ସିନେମା ହଲ୍, ଥିଏଟର୍‌ ମଧ୍ୟ କିଛିଦିନ ପାଇଁ ବନ୍ଦ ରଖାଗଲା। କୁହୁଡ଼ି କାରଣରୁ ଅତି ନିକଟତମ ଜିନିଷ ମଧ୍ୟ ଦେଖାଯାଉନଥିଲା। ପରବର୍ତ୍ତୀ ସମୟରେ ଅନୁସନ୍ଧାନ କରି ବିଶେଷଜ୍ଞ ଦଳ ମତ ଦେଇଥିଲେ, କାରଖାନାର ପ୍ରଦୂଷଣ କାରଣରୁ ଲଣ୍ଡନରେ କୁହୁଡ଼ି ମାତ୍ରାଧିକ ହୋଇଥିଲା। ସେହି ବର୍ଷ ସେଠା ସରକାର ପ୍ରତ୍ୟେକ କାରଖାନା ପାଇଁ ନିର୍ଦେଶାବଳୀମାନ ପ୍ରକାଶ କରିଥିଲେ, ଲଣ୍ଡନରେ ଗତ ୬୯ ବର୍ଷ ମଧ୍ୟରେ ସେଭଳି ସ୍ଥିତି ପୁନରାବୃତ୍ତି ହୋଇନାହିଁ।

Comments are closed.