ରାଷ୍ଟ୍ରପତି ଶାସନ ଆଡକୁ ମୁହାଉଁଛି ମହାରାଷ୍ଟ୍ର – ଶନିବାର ସରୁଛି ବିଧାନସଭା କାର୍ଯ୍ୟକାଳ 

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ଅଚଳାବସ୍ଥା ଦୂର ହୋଇ ପାରିନାହିଁ। ଗତ ସନ୍ଧ୍ୟାରେ ଉଭୟ ବିଜେପି ଓ ଶିବସେନା ମଧ୍ୟରେ ବୈଠକ ପରେ ମେଣ୍ଟ ସରକାର ନେଇ ଆଶା କରାଯାଉଥିଲେ ମଧ୍ୟ ୨୪ ଘଣ୍ଟା ନ ପୂରୁଣୁ ଉଭୟ ଦଳ ନିଜ ଜିଦରେ ଅଟଳ ରହିବା ଫଳରେ ସମାଧାନର କୌଣସି ସୂତ୍ର ବାହାରି ପାରିନାହିଁ। ଯଦି ଶୁକ୍ରବାର ଅର୍ଥାତ ନଭେମ୍ବର ୮ ତାରିଖ ସୁଦ୍ଧା ସରକାର ଗଠନ ପାଇଁ ବିଦ୍ଧିବଧ ପ୍ରସ୍ତାବ ନ ଆସେ ତେବେ ସାମ୍ବିଧାନିକ ବିଧି ବ୍ୟବସ୍ତା ଅନୁଯାୟୀ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବ। ଏକ ପ୍ରକାର ନିଶ୍ଚିତ।

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଗୁରୁବାର ବରିଷ୍ଠ ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ତାଙ୍କ ପାର୍ଟିର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ। ରାଜ୍ୟରେ ପାଳି କରି ମୁଖ୍ୟମନ୍ତ୍ରୀ ପଦ ଦିଆଯିବାକୁ ସେ ତାଙ୍କ ପାର୍ଟିର ଦାବିକୁ ଦୋହରାଇଛନ୍ତି। ଆଜି ଅପରାହ୍ଣରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ନବ ନିର୍ବାଚିତ ବିଧାୟକମାନଙ୍କୁ ସାକ୍ଷାତ କରିଛନ୍ତି ଓ ଠାକରେ ଯାହା କିଛି ନିଷ୍ପତ୍ତି ନେବେ ତାହାକୁ ସମର୍ଥନ କରିବାକୁ ସେମାନେ ସର୍ବସମ୍ମତ ରାୟ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ଶିବସେନାରୁ ହେବେ। ଯଦି ମହାମେଣ୍ଟକୁ ଜନମତ ମିଳିଛି ବୋଲି କୁହାଯାଉଛି ତାହେଲେ କାହିଁକି ବିଜେପି ସରକାର ଗଠନ କରିପାରୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

କ୍ଷମତାର ସମାନ ବଣ୍ଟନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଲଢ଼େଇ ତିକ୍ତ ହୋଇପଡ଼ିଛି। ପାଳି କରି ମୁଖ୍ୟମନ୍ତ୍ରୀ ପଦ ନେବା ପାଇଁ ଶିବସେନାର ଦାବିକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ଚଳିତ ବିଧାନସଭାର କାର୍ଯ୍ୟକାଳ ଶନିବାର ଦିନ ଶେଷ ହେଉଛି। ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି ରାଜ୍ୟଶାଖା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‍ କହିଛନ୍ତି, ବିଜେପି ନେତୃତ୍ୱର ମେଣ୍ଟକୁ ଜନମତ ମିଳିଛି ଓ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବାକୁ ଲୋକମାନେ ଚାହାନ୍ତି। ମୁମ୍ବାଇରେ ରାଜ୍ୟପାଳ ଭଗତ ସିଂହ କୋସିଆରିଙ୍କୁ ସାକ୍ଷାତ କରିସାରି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ତାଙ୍କୁ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି ଓ ସରକାର ଗଠନରେ ବିଳମ୍ବ ସ୍ଥଳେ ଆଇନଗତ ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ପାର୍ଟି ନେତୃତ୍ୱ ପରିସ୍ଥିତି ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Comments are closed.