ବିଦ୍ୟୁତ୍‍ ଖୁଣ୍ଟି ତଳୁ ଯୁବକର ମୃତଦେହ ଜବତ

ପିପିଲି : ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଅଞ୍ଚଳରେ ଥିବା ଏକ ୩୩କେଭି କ୍ଷମତା ସମ୍ପନ୍ନ ବିଦ୍ୟୁତ୍‍ ଖୁଣ୍ଟି ତଳୁ ଜଣେ ଯୁବକର ମୃତଦେହକୁ ପୁଲିସ ଜବତ କରିଛି । ମୃତକଙ୍କ ନାମ ବିଶ୍ୱଜିତ ପ୍ରଧାନ ଓରଫ ଜିତୁ (୨୨) ଓ ତାଙ୍କ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ରେଞ୍ଚ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।
ଜମାଲପୁର କେନାଲ ବନ୍ଧରେ ଥିବା ୩୩କେଭି ବିଦ୍ୟୁତ୍‍ ଖୁଣ୍ଟି ତଳେ ଆଜି ସକାଳେ ମୃତଦେହ ପଡ଼ିଥିବାର ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପିପିଲି ଥାନାର ଏଏସ୍‍ଆଇ ରମାକାନ୍ତ ସାହୁ ଓ ପ୍ରହଲ୍ଲାଦ ବରାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ । ମୃତଦେହ ନିକଟରୁ ଏକ ଆରି କଟର, ହଳେ ଚପଲ, ଏକ ବାଇକ୍‍, ମୋବାଇଲ୍‍ ଫୋନ୍‍, ଗାଡିଚାବି ଓ ଏକ ବଡ ଜରି ଅଖାକୁ ପୁଲିସ ଜବତ କରିଥିବା ବେଳେ ଏନେଇ ପିପିଲି ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏହା ଏକ ବିଦ୍ୟୁତ୍‍ ଦୁର୍ଘଟଣା ଜନିତ ଘଟଣା ହୋଇଥିବା ପୁଲିସ ଅନୁମାନ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Comments are closed.