ମିଳିଲା ସ୍ବାତୀର ମୃତଦେହ

ନୟାଗଡ଼: ବହୁଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ରାଜ୍ୟବାସୀଙ୍କ ମନରୁ ଲିଭି ନ ଥିବାବେଳେ ସେହି ନୟାଗଡ଼ରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତ ଶୁକ୍ରବାରଠାରୁ ନିଖୋଜ ଥିବା ୩ ବର୍ଷର ଝିଅ ସ୍ବାତୀର ମୃତଦେହ ମଙ୍ଗଳବାର ମିଳିଛି। ନୟାଗଡ଼ ଜିଲା ବଧିପାଟଣାରେ ସ୍ବାତୀର ଘର। ମଙ୍ଗଳବାର ଗାଁ ପୋଖରୀରୁ ତା’ର ମୃତଦେହକୁ ପୁଲିସ ଉଦ୍ଧାର କରିଛି।

ଗତ ଶୁକ୍ରବାର ସ୍ବାତୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍‌ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ସ୍ବାତୀର କୌଣସି ପତ୍ତା ପାଇ ନ ଥିଲେ। ଶେଷରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ। ପରୀ ହତ୍ୟାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପୁଣି ଏକ ଶିଶୁ ନିଖୋଜ ଘଟଣାକୁ ଅଧିକ ଜଟିଳ କରିଥିଲା।

ସ୍ବାତୀ କୁଆଡ଼େ ଗଲା ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଗାଁର ଆଉ ଏକ ସାହିରେ ଥିବା ପୋଖରୀରୁ ଆଜି ତା’ର ମୃତଦେହ ମିଳିବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ସ୍ବାତୀର ମୃତ୍ୟୁ କିପରି ହେଲା ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Comments are closed.