ଘର ଭିତରୁ ଆଇଏଏସ ଅଧିକାରୀଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ଆଇଏଏସ ଅଧିକାରୀ ଏମ. ବିଜୟ ଶଙ୍କରଙ୍କ ମୃତଦେହ ବେଙ୍ଗାଲୁରୁ ଜୟାନଗରସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପୁଲିସ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ୪ ହଜାର କୋଟିର ଆଇଏମଏ ଚିଟ୍‌ଫଣ୍ଡ ଠକେଇ ମାମଲାରେ ବିଜୟ ଅଭିଯୁକ୍ତ ଥିଲେ। ସିବିଆଇ ତାଙ୍କ ନାମରେ ମାମଲା ରୁଜୁ କରିବା ଲାଗି ରାଜ୍ୟ ସରକାରଙ୍କଠାରୁ ଅନୁମତି ଲୋଡ଼ିଥିଲା।

ପୁଲିସ ସୂଚନା ଅନୁସାରେ, ଆଇଏମଏ ଚିଟଫଣ୍ଡ ଦୁର୍ନୀତିକୁ ଚପାଇବା ଲାଗି ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ସରକାର ଏହାର ତଦନ୍ତ ପାଇଁ ଏକ ୩ ଜଣିଆ ଟିମ୍‌ ଗଠନ କରିଥିଲେ। ଏହି ଟିମ ୨୦୧୯ରେ ବିଜୟଙ୍କୁ ଗିରଫ କରିଥିଲା। ଏହା ପରେ ବିଜେପି ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲା। ସିବିଆଇ ତଦନ୍ତ କରିବା ସମୟରେ ବିଜୟ ଏବଂ ଅନ୍ୟ ୨ ଜଣ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜାଣି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲା।

ସୂଚନାଯୋଗ୍ୟ, ଆଇଏମଏ ଚିଟ୍‌ଫଣ୍ଡ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ମନ୍‌ସୁର ଖାନ ୨୦୦୬ରେ କମ୍ପାନୀ ଖୋଲି ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ୪ ହଜାର କୋଟି ଟଙ୍କା ଠକେଇ କରିଥିଲେ। ପରେ ସେ ଦୁବାଇ ଫେରାର ହୋଇଯାଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।

Comments are closed.