ପଶ୍ଚିମବଙ୍ଗ: ଘର ଭିତରୁ ମନ୍ତ୍ରୀଙ୍କ ଭାଉଜ ଓ ଝିଆରୀଙ୍କ ଗଳିତ ମୃତଦେହ ଜବତ

କୋଲକାତା: ପଶ୍ଚିମବଙ୍ଗର ମନ୍ତ୍ରୀ ମଳୟ ଘଟକଙ୍କ ଭାଉଜ ଏବଂ ଝିଆରୀଙ୍କ ମୃତଦେହ ସେମାନେ ରହୁଥିବା ଏକ ଘରୁ ଜବତ ହୋଇଛି। ମୃତଦେହ ୨ଟି ପଚିଯାଇଥିବାରୁ ୩/୪ଦିନ ପୂର୍ବରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ପୁଲିସ ସାଇଣ୍ଟିଫିକ୍‌ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତକ ଦ୍ବୟ ହେଲେ ଜୟଶ୍ରୀ ଘଟକ ଏବଂ ତାଙ୍କ ଝିଅ ନିଲମ ଘଟକ। ଜୟଶ୍ରୀ ହେଉଛନ୍ତି ମନ୍ତ୍ରୀ ମଳୟଙ୍କ ବଡ଼ଭାଇଙ୍କ ସ୍ତ୍ରୀ। ମଳୟଙ୍କ ବଡ଼ଭାଇଙ୍କର ପୂର୍ବରୁ ଦେହାନ୍ତ ହୋଇଯାଇଛି। ଜୟଶ୍ରୀ ଏବଂ ନିଲମ ଆସାନସୋଲ ସହରର ହିନ୍ଦୁସ୍ତାନ ପାର୍କ ଅଞ୍ଚଳରେ ଏକ ଘରେ ରହୁଥିଲେ। ଉକ୍ତ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଘରେ ପ୍ରବେଶ କରିବା ପରେ ଭିତରେ ୨ଟି ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ ଜୟଶ୍ରୀ ଏବଂ ନିଲମ ପାଖପଡ଼ିଶା ଲୋକଙ୍କ ସହିତ ମିଳାମିଶା କରୁ ନ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Comments are closed.