ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାରାଦ୍ଵୀପ : ଆଜି ସକାଳୁ ପାରାଦ୍ଵୀପ ରେଲୱେ କଲୋନୀ ସ୍ଥିତ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଚଣ୍ଡିଖୋଲ ଅଞ୍ଚଳ ନୂଆସୁଙ୍ଗୁଡା ଗ୍ରାମର ବାମଦେବ ମାହାଳଙ୍କ ବଡ଼ ପୁଅ ପ୍ରିୟରଞ୍ଜନ ମାହାଳ। ଟ୍ରେନରେ କଟି ଯିବା ଫଳରେ ତାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ସକାଳୁ ରେଳ ଧାରଣାରେ ମୃତଦେହ ପଡିଥିବାର ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଠରବାଙ୍କୀ ଫାଣ୍ଡି ଅଧିକାରୀ ତ୍ରିନାଥ ସାହୁ ଓ ରେଳବାଇ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।ପ୍ରିୟରଞ୍ଜନ କିଛି ଦିନ ହେବ ଅଠରବାଙ୍କୀ ଗୋପୀନାଥ କଲୋନୀରେ ଭଡାରହି ଟ୍ରକ ଚାଳକ ଭାବେ କାର୍ୟ୍ୟ କରୁଥିଲେ।ଗତକାଲିଠାରୁ କୌଣସି କାମରେ ଘରୁ ଯାଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ରେଳ ଧାରଣାରୁ ମିଳିଛି।ତେବେ ମୃତ୍ୟୁ ର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି।