ନଦୀରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବଡ଼ସାହି: ସ୍ଥାନୀୟ ପୁଲିସ ମଙ୍ଗଳବାର ବୁଢ଼ାବଳଙ୍ଗ ନଦୀରୁ ଜଣେ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର କରିଛି। ଦୁର୍ଗାପୁର ପଞ୍ଚାୟତର ପଣ୍ଡୁପାଳ ଗ୍ରାମବାସୀ ନଦୀରେ ମୃତଦେହଟି ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ମୃତ ବ୍ୟକ୍ତି ଜଣଙ୍କର ପରିଚୟ ମିଳିନାହିଁ। ବଡ଼ସାହି ପୁଲିସ୍‍ ସମସ୍ତ ଥାନାକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ସମ୍ଭବତଃ ୪/୫ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି। ମଧ୍ୟମ ସ୍ୱାସ୍ଥ୍ୟ ସାଙ୍ଗକୁ ବୟସ ପାଖାପାଖି ୪୦ରୁ ୪୫ବର୍ଷ ମଧ୍ୟରେ ହେବ। ଦେହରେ କେବଳ ମେହେନ୍ଦି ରଙ୍ଗର ଫତେଇ ଗଞ୍ଜିଟିଏ ରହିଛି। ତଦନ୍ତ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ଶବ ବ୍ୟବଚ୍ଛେଦ କରାଯାଇଛି। ୭୨ଟି ଘଣ୍ଟା ଭିତରେ ପରିଚୟ ନମିଳିଲେ ସରକାରୀ ନିୟମ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯିବ। କେହି ବ୍ୟକ୍ତି ମୃତକଙ୍କ ସମ୍ବନ୍ଧରେ ଜାଣିଥିଲେ ବଡ଼ସାହି କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବା ପାଇଁ ଭାରପ୍ରାପ୍ତ ଥାନାଧିକାରୀ ଅଶୋକ କୁମାର ନାୟକ ଜଣାଇଛନ୍ତି।

Comments are closed.