ପୃଥକ ପୃଥକ ସ୍ଥାନରୁ ୨ଟି ମୃତଦେହ ଏବଂ ମୁମୂର୍ଷୁ ଅବସ୍ଥାରେ ଜଣେ ନାବାଳିକା ଉଦ୍ଧାର

0

ପୁରୀ/ବାରିପଦ/ମାଲକାନାଗିରି: ମଙ୍ଗଳବାର ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରୁ ଦୁଇଟି ମୃତଦେହ ଜବତ ହୋଇଥିବା ଜଣାପଡିଛି । ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମଳିପାରି ନାହିଁ । ସେହିପରି ରାସ୍ତାକଡରୁ ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ମଙ୍ଗଳବାର ସକାଳେ ପୁରୀ ବେଳାଭୂମିର ସିଂହଦ୍ୱାର ଓ ଶ୍ରୀଚୈତନ୍ୟ ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଶ୍ରଦ୍ଧାଳୁ ହୋଇଥିବେ ବୋଲି ଅନୁମାନ କରାଯାଉଛି । ତଦନ୍ତ ପରେ ଏହି ଘଟଣା ପଛର ସତ୍ୟତା ସାମ୍ନାକୁ ଆସିବ ପୁଲିସ କହିଛି ।

ମୟୂରଭଞ୍ଜ ଜିଲ୍ଲାରେ ଥିବା ଜମ୍ଭୀରା ନଦୀରେ ଭାସୁଥିବା ଅବସ୍ଥାର ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି । ମୃତକ ଜଣଙ୍କ ଶୁଳିଆପଦା ଥାନା ଅନ୍ତର୍ଗତ ଭୋରୁଙ୍ଗାଶୁଳ ଗ୍ରାମର ବାଇଧର ହେମ୍ବ୍ରମ(୬୫) ବୋଲି ଜଣାପଡିଛି । ଗତକାଲି ସେ ଚିତ୍ରଡ଼ା ଥାନା ଅନ୍ତର୍ଗତ ଶ୍ବଶୁର ଘରକୁ ବୁଲିବାକୁ ଆସିଥିଲେ । ତେବେ ଆଜି ସକାଳେ ନଦୀରେ ତାଙ୍କ ମୃତଦେହ ଠାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏନେଇ ତଦନ୍ତ ଆରମ୍ଭ କରିଛି ।

ସେହିପରି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସିଙ୍ଗଲବାଞ୍ଚା ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ନାବାଳିକାଙ୍କ ବୟସ ୧୩ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ନାବାଳିକାଙ୍କ ହାତଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ରାସ୍ତାକଡରେ ପଡିଥିଲେ । ସ୍ଥାନୀୟଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପ​‌ରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାବାଳିକାଙ୍କୁ ଚିକତ୍ସା ପାଇଁ ଡାକ୍ତଖାନାରେ ଭର୍ତ୍ତି କରିଛି । ତେବେ ନାବାଳିକାଙ୍କ ପରିଚୟ ମିଳି ନଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ବଳାତ୍କାର ପରେ ସେଠାରେ ଫିଙ୍ଗି ଚାଲି ଯାଇଥିବା ସନ୍ଦେହ କରାଯାଉଛି । ନାବାଳିକାଙ୍କ ଡାକ୍ତରୀ ମାଇନା ଓ ବୟାନ ରେକର୍ଡ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୁଲିସ କହିଛି ।

 

Leave A Reply