ଦୁଇ ଦିନ ହେବ ପଡ଼ି ରହିଛି ନବବଧୂର ମୃତଦେହ, ବ୍ଲକ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା

0

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଅଞ୍ଚଳରେ ଦୁଇ ଧରି ଜଣେ ନବବଧୂର ମୃତଦେହ ପଡି ରହିଛି । ଏଭଳି ଅଭାବନୀୟ ଘଟଣା ବଣାଇ ବ୍ଲକ ଅଧ୍ୟକ୍ଷାଙ୍କ ଘରେ ଘଟିଛି । ବ୍ୟବଚ୍ଛେଦ ପରେ ଶାଶୁଘର ଲୋକେ ମୃତଦେହକୁ ନେବାକୁ ମନା କରି ଦେଇଥିବା ବେଳେ ଆଜି ଯାଏଁ ଶବ ସତ୍କାର ହୋଇପାରିନାହିଁ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ନବବଧୂଙ୍କ ସମ୍ପର୍କୀୟ ବ୍ଲକ୍ ଅଧ୍ୟକ୍ଷାଙ୍କ ଘରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି ।

ସୂଚନାଯୋଗ୍ୟ, ବଣାଇ ବ୍ଲକ ଅଧ୍ୟକ୍ଷାଙ୍କ ଘରେ କାମ କରୁଥିବା ତଥା ତାଙ୍କ ଧରମ ଭଣଜା ଗଣେଶ କିଷାନଙ୍କ ବିବାହ ଗତ ବର୍ଷ ନିକିତାମାଲ ଗାଁର ରଶ୍ମିତାଙ୍କ ସହ କରାଇଥିଲେ । ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା । ଗତକାଲି ରଶ୍ମିତାଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିଲା । ରଶ୍ମିତା ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକ କହିଥିବା ବେଳେ ତାଙ୍କୁ ବିଷ ପିଆଇ ହତ୍ୟା କରାଯାଇଛି ବୋଲି ରଶ୍ମିତାଙ୍କ ବାପଘର ଲୋକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ମୃତକଙ୍କ ସ୍ବାମୀ ଗଣେଶ କିଷାନଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ଶାଶୁଘର ଲୋକେ ଶବ ସତ୍କାର କରିବାକୁ ମନା କରିଦେଇଥିଲେ । ଫଳରେ ଦୁଇ ଦିନରୁ ରଶ୍ମିତାଙ୍କ ମୃତଦେହ ସତ୍କାର ନ ହୋଇ ପଡ଼ି ରହିଛି । ଏହାକୁ ନେଇ ରଶ୍ମିତାଙ୍କ ଘରଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ରଶ୍ମିତାଙ୍କ ସମ୍ପର୍କୀୟ ଓ ନିକିତାମାଲ ଗାଁ ଲୋକେ ବଣାଇ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପେୁଲିସ ଫୋର୍ସ ମୁତୟନ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଧ୍ୟକ୍ଷାଙ୍କ ପରିବାର ଲୋକେ ଫେରାର ହୋଇ ଯାଇଥିବା ଜଣାପଡିଛି ।

Leave A Reply