ଅଜଣା ମୃତଦେହ ପୋତିବାକୁ ନେଇ ପୁଲିସ ଓ ଜନତା ମୁହାଁମୁହିଁ, ପୋତା ଯାଇଥିବା ମୃତଦେହକୁ କାଢି ନେଲା ପୁଲିସ

ପାଟଣା : ଏକ ଅଜଣା ମୃତଦେହ ପୋତିବାକୁ ନେଇ ପୁଲିସ ଓ ଜନତା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ପୋତା ଯାଇଥିବା ମୃତଦେହକୁ ପୁଲିସ କାଢି ନେଇଛି। ଏଭଳି ଘଟଣା କେଉଁଝର ଜିଲା ପାଟଣାରେ ଘଟିଛି।
ସୂଚନାଯୋଗ୍ୟ, ଘଟଗାଁ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣେ ଅଜଣା ବୃଦ୍ଧଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ଢେଙ୍କିକୋଟ ପୁଲିସ ପକ୍ଷରୁ ପାଟଣା – ଢେଙ୍କିକୋଟ ରାସ୍ତାର କାଶିଆ ନିକଟ ଜଙ୍ଗଲରେ ପୋତାଯାଇଥିଲା। କରୋନା ସଂକ୍ରମଣ ସମୟରେ ପୁଲିସ ଅଜଣା ମୃତଦେହକୁ ପୋତିବାକୁ ନେଇ ମୂଷାଖୋରୀ ଗ୍ରାମର ଶତାଧିକ ଲୋକେ ଏହାକୁ ବିରୋଧ କରି ଗଣ୍ଡଗୋଳ କରିଥିଲେ। ଏପରିକି ପୁଲିସ ଜଙ୍ଗଲ ମଧ୍ୟରୁ ପୋତି ଥିବା ମୃତଦେହକୁ ନ କାଢି ପୁଲିସ ଗାଡି ଓ ଆମ୍ବୁଲାନ୍ସ କୁ ପୋଡ଼ି ଦେବାକୁ ସ୍ଥାନୀୟଲୋକେ ଧମକ ଦେଇଥିଲେ। ଘଟଣା ଆଗକୁ ବଢୁଥିବା ଦେଖି ଢେଙ୍କିକୋଟ ପୁଲିସ ଜେସିବି ଲଗାଇ ପୋତା ଯାଇଥିବା ମୃତଦେହକୁ କାଢ଼ିବା ସହ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଥାନା ସାମ୍ନାକୁ ନେଇଯାଇଛି। ଏତିକିରେ ଉତ୍ୟକ୍ତ ଲୋକଙ୍କ ରାଗ ଶାନ୍ତ ହୋଇନଥିଲା। ସେମାନେ ପୋତା ଯାଇଥିବା ସ୍ଥାନଟିକୁ ସାନିଟାଇଜ୍ କରାଯିବାକୁ ଦାବି କରିବାରୁ ପୁଲିସ ଦମକଳ ବାହିନୀ ଡକାଇ ସେହି ସ୍ଥାନକୁ ମଧ୍ୟ ସାନିଟାଇଜ୍ କରିଛି।