ପୁଣି ଭାରରେ ବୁହା ହେଲା ମୃତଦେହ

0

କଳାହାଣ୍ଡି: କଳାହାଣ୍ଡି ଜିଲାରେ ପୁଣି ମୃତଦେହ ଭାରରେ ବୁହା ହେବା ଭଳି ଘଟଣା ଦେଖିବାକୁ ମିଳିଛି । ମୃତଦେହ ନେବାକୁ ଗାଡି ନମିଳିବାରୁ ସେଦିନ ଦାନମାଝି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୁହାଇ ନେଇଥିଲା । ଆଜି ମୃତଦେହ ନେବାକୁ ଗାଡି ଅଛି ସତ କିନ୍ତୁ ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଅଧାବାଟରେ ଛାଡି ଚାଲିଗଲା । ଫଳରେ ମୃତକଙ୍କ ସମ୍ପର୍କୀୟମାନେ ମୃତଦେହକୁ ପ୍ରାୟ ୧୦ କିମି ଦୂରତା ପର୍ୟ୍ୟନ୍ତ ଭାରରେ ବୋହି ଗାଁକୁ ନେଇ ଯାଇଥିଲ । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ସିଲେଟ ପଂଚାୟତ ଅନ୍ତର୍ଗତ ରୂପେନ ଗାଁର ଟାଙ୍ଗରୁମାଝୀଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ ଆଜିକୁ ପ୍ରାୟ ଏକ ମାସ ହେବ ପ୍ରସୂତି ପାଇଁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗତ ଚାରିଦିନ ତଳେ ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲା । ଆଜି ଚିକିତ୍ସିତ ଅବସ୍ଥାରେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଶବ ବାହକ ଗାଡି ମୃତା ଲକ୍ଷ୍ମୀଙ୍କ ମୃତଦେହକୁ ନେଇ ଯାଇଥିଲା କିନ୍ତୁ ଶୋଚନୀୟ ରାସ୍ତା ଦେଖି ଆମ୍ବୁଲାନ୍ସ ଚାଳକ କେରପାଇ ପଞ୍ଚାୟତ ନିକଟରେ ସେମାନଙ୍କୁ ଛାଡି ପଳାଇଥିଲେ । ​‌ଅନ୍ୟ ଉପାୟ ନପାଇ ମୃତକଙ୍କ ସମ୍ପର୍କୀୟମାନେ ପଟ୍ଟା ନଦୀ ଓ ଅନ୍ୟ ନାଳ ପାର ହୋଇ ବହୁ କଷ୍ଟରେ ପ୍ରାୟ ୧୦ କିମି ରାସ୍ତା ଭାରରେ ବୋହି ନେଇଥିଲେ । କେବେ ଏହି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଗମନାଗମନ ଉପରେ ପ୍ରଶାସନର ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଛି ।

Leave A Reply