ମଳିପଡା ଦଲକ ରାସ୍ତା କଡ଼ରୁ ମୃତ ମାଈ ହାତୀ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଜାତୀୟ ରାଜପଥ କଡ଼ରୁ ୨୦୦ ମିଟର ମଳିପଡା ଦଲକ ରାସ୍ତା କଡରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ୧୫ବର୍ଷ ହେବ ବୋଲି ଜଣାପଡିଛି। ତେବେ ହାତୀର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ। ହାତୀ ମୃତ୍ୟୁ ଖବର ପାଇ ଖୋର୍ଦ୍ଧା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ମାଈ ହାତୀକୁ ଜବତ କରିଛି। ଏପରିକି ହାତୀର ଶବ ବ୍ୟବଚ୍ଛେଦ ପାଇଁ ତୋଟାପଡା ଠାରେ ଥିବା କେତକିଝର ନର୍ସରୀକୁ ଅଣାଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ , ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ମଳିପଡା ଦଲକ ରାସ୍ତାରେ ଯାଉଥିବା ସମୟରେ ରାସ୍ତା କଡରେ ଏକ ହାତୀ ପଡିଥିବାର ଦେଖିଥିଲେ। କିନ୍ତୁ ହାତୀ ମୃତ କି ଜୀବିତ ଅଛି ଜଣାନଥିଲା। ପଡିଥିବା ହାତୀ ନିକଟକୁ ଯାଇ ଦେଖିବା ପରେ ହାତୀଟି ମୃତ ଥିବା ଜାଣିବା ପରେ ଲୋକେ ବନବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନବିଭାଗ କର୍ମଚାରୀ ହାତୀ ମୃତସ୍ଥଳୀରେ ପହଞ୍ଚି ହାତୀଟିକୁ ତୋଟାପଡାସ୍ଥିତ ନର୍ସରୀକୁ ଅଣାଯାଇଥିଲା। ତେବେ କିଭଳି ପରିସ୍ଥିତିରେ ହାତୀଟି ମୃତ୍ୟୁବରଣ କରିଛି ତାହାର ତଦନ୍ତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ଗତ ୧୫ ବର୍ଷ ମଧ୍ୟରେ ଏଯାବତ ଆଠଟି ହାତୀଙ୍କର ମୃତ୍ୟୁ ଘଟିଛି।

Comments are closed.