ଭାରିଯାନ ମଧ୍ୟରୁ ଚାଳକ ମୃତ ଶରୀର ଉଦ୍ଧାର

ବରପାଲି : ବରପାଲି ସୋହେଲା କେନାଲ ପୋଲ ରାସ୍ତାକଡ଼ରେ ଅଟକ ରହିଥିବା ଏକ ଭାରିଯାନ ମଧ୍ୟରେ ଚାଳକ ଶବିର ଖାନ(୫୦)ର ମୃତ ଶରୀର ପୋଲିସ ଦ୍ୱାରା ଉଦ୍ଧାର ହୋଇଯାଇଛି। ମୃତଶରିର ଅବସ୍ଥିତି ଓ ସବିରର ସହକର୍ମୀ ମାନଙ୍କ କଥାବାର୍ତ୍ତା ହାଭାଭାବକୁ ନେଇ ସ୍ଥାନିୟ ପୁଲିସ ଘଟଣାକୁ ଆତ୍ମହତ୍ୟା ବୋଲି କହୁଥିବା ବେଲେ ସ୍ଥାନୀୟ ଲୋକେ ଭିନ୍ନଭିନ୍ନ ପ୍ରକାର କାହାଣି ଉପରେ ଦୃଷ୍ଟି ଆକର୍ଷଣ କରୁଥିବା ଦେଖାଯାଇଥିଲା।

ସୋମବାର ପ୍ରତ୍ୟୁଷରେ କେନାଲକୁ ଲୋକେ ଗାଧୁଆପାଧୁଆ କାର୍ଯ୍ୟରେ ଆସିଥିବ ବେଳେ ଅଟକିଥିବା ଏକ ଟ୍ରକର ଚାଳକ ଦ୍ୱାର ସହାୟତା ଲୁହାବାରରୁ ବେକରେ ବନ୍ଧାବସ୍ଥାରେ ତଳକୁ ଝୁଲୁଥିବା  ଲୋକେ ଦେଖିବାକୁ ପାଇଥିଲେ। ପରେ ଲୋକଙ୍କ ଗହଳି ବୃଦ୍ଧି ପାଇବା ସହ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଶୁଣି ଟ୍ରକ ମଧ୍ୟରେ ଶୋଇଥିବା ହେଲପର ସୁନିଲ ମାନି(୨୮) ଉଠିବା ସହ ଚାଳକ ସବିରକୁ ଝୁଲୁଥିବା ଅବସ୍ଥାରେ ଚିହ୍ନଟ କରି ଟ୍ରକ ଉପରେ ଶୋଇଥିବା ଅନ୍ୟତମ ଚାଳକ ପପୁ ଖାନ(୩୮)କୁ ଉଠାଇଥିଲା। ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା ଆରମ୍ଭ କଲାପରେ ମୃତ ଶରୀରକୁ ବ୍ୟବଚ୍ଛ୍ୟଦ ନିମନ୍ତେ ବରଗଡ଼କୁ ପଠାଇଥିଲା।

ମୃତ ସବିର ସହକର୍ମୀଙ୍କ ସୂଚନା ଅନୁସାରେ ଗତ ଶନିବାର ଅପରାହ୍ନରେ ମଧ୍ୟପ୍ରଦେଶ ଇନ୍ଦୋର ସହରରୁ ସାବୁନ ପେଟି ଲୋଡ଼କରି ଟ୍ରକଟି କଟକ ମାଲଗୋଦାମ ଅଭିମୁଖେ ବାହାରିଥିଲା। ଗତ ବିଳମ୍ବିତ ରାତ୍ର ବରପାଲି କେନାଲ ଛକରେ ପହଞ୍ଚିଲାପରେ ସବିର କିଛିସମୟ ଆରାମ କଲାପରେ ପୁଣି ବାହାରିବା କହି କେନାଲକୁ ଶୌଚପାଇଁ ଯାଇଥିଲା। ସବିର ଆସିଲା ପରେ ସୁନିଲ ସହ ଟ୍ରକ ଭିତର ପାର୍ଶ୍ବରେ ଶୋଇଥିବା ବେଲେ ଅନ୍ୟତମ ଚାଳକ ପପୁ ଟ୍ରକର ମାଲବୋଝ ଉପର ପାର୍ଶ୍ବରେ ଶୋଇବାକୁ ଯାଇଥିଲା। ଟ୍ରକଟି ଇନ୍ଦୋରରୁ ବାହାରିଲା ପରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଟ୍ରକରଖି ତିନିଜଣ ଯାକ ଖାଇବା ପିଇବା ମଧ୍ୟ କରିଥିଲେ। ହେଲେ ସବିର ଆତ୍ମହତ୍ୟ ଜନିତ କୌଣଷି କାରଣ କିମ୍ବା ଘରୋଇ ସମସ୍ୟା ଉପରେ କଥାବାର୍ତ୍ତା ହୋଇନଥିବା ଦୁଇଜଣ ଯାକ ପୋଲିସକୁ କହିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସହକର୍ମୀ ଓ ଟ୍ରକକୁ ଅଟକ ରଖିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଛି।

Comments are closed.