ଦିଲ୍ଲୀ​ରେ ମୃତଦେହ ଅଦଳବଦଳ : ମା’ର ଶବ ଖୋଜି ପୁଅ ନିରାଶ

ରୋଗୀଙ୍କୁ ଖାଦ୍ୟ, ଔଷଧ ​ଦେବାରେ ଅବହେଳା

ନୂଆଦିଲ୍ଲୀ :  ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଠାରୁ ମୃତଦେହ ସଂସ୍କାର ପର୍ଯ୍ୟନ୍ତ ସମସ୍ତ ପ୍ରକାର ପରିଚାଳନାରେ ତ୍ରୁଟି ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡିଛି। ଦିଲ୍ଲୀ ସରକାରଙ୍କ ଏପରି ତ୍ରୁଟିକୁ ସୁପ୍ରିମକୋର୍ଟ ସମାଲୋଚନା କରିଥିଲେ ମଧ୍ୟ ଏହା କୌଣସି ସୁଧାର ଆଣିପାରି ନାହିଁ। ଦିଲ୍ଲୀର ହସ୍ପିଟାଲରେ କରୋନା ସଂକ୍ରମିତ ରୋଗୀଙ୍କୁ ଖାଦ୍ୟ କିମ୍ବା ଔଷଧ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହା ସହିତ ମୃତଦେହ ଅଦଳବଦଳ ନେଇ ଦୁଇଟି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୁନ୍ନି ଚନ୍ଦ୍ରା ନାମକ ଜଣେ ସିଆଇଏସଏଫ ସବ୍‌ ଇନ୍ସପେକ୍ଟର କହିଛନ୍ତି ଯେ ଜୁନ୍ ୬ରେ ତାଙ୍କ ପିତା ସନ୍ଥ ରାମଙ୍କର ଏଲଏନଜେପି ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଜୁନ୍ ୭ରେ ହସ୍ପିଟାଲ ଶବାଗାରରେ ଆବଶ୍ୟକ କାଗଜପତ୍ର ପ୍ରକ୍ରିୟା ପରେ ନିଗମବୋଧ ଘାଟରେ ମୃତଦେହକୁ ସଂସ୍କାର ପାଇଁ ଅଣାଯାଇଥିଲା। ତେବେ ସେଠାରେ ପିତାଙ୍କ ମୃତଦେହ ଦେଖିବାକୁ ପରିବାର ଲୋକଙ୍କୁ ସୁଯୋଗ ଦିଆଯାଇ ନଥିଲା। ବହୁ ଅନୁରୋଧ ସତ୍ତ୍ବେ ସୁନ୍ନିଙ୍କୁ ତାଙ୍କ ପିତାଙ୍କ ମୁହଁ ଦେଖିବାକୁ ଦିଆଯାଇ ନଥିଲା। ସମ୍ପୂର୍ଣ୍ଣ ଘୋଡେଇ ହୋଇ ରହିଥିବା ଅବସ୍ଥାରେ ମୃତଦେହକୁ ସଂସ୍କାର କରାଯାଇଥିଲା। ସଂସ୍କାର ସାରି ଫେରିବା ସମୟରେ ସୁନ୍ନି ଜାଣିବାକୁ ପାଇଥିଲେ ସେ ଯେଉଁ ମୃତଦେହଟି ସଂସ୍କାର କରିଛନ୍ତି ତାହା ଜଣେ ମହିଳାଙ୍କର ମୃତଦେହ। ଅନ୍ୟଏକ ଆମ୍ବୁଲାନ୍ସରେ ତାଙ୍କ ପିତାଙ୍କ ମୃତଦେହ ରହିଥିବା ଦେଖିବାକୁ ପାଇଥିଲେ। ପୁନର୍ବାର ସୁନ୍ନି ପିତାଙ୍କ ମୃତଦେହ ସଂସ୍କାର କରିଥିଲେ। ଅନ୍ୟପଟେ ସୁନ୍ନି ସଂସ୍କାର କରିଥିବା ମହିଳାଙ୍କ ମୃତଦେହ ହେଉଛି ମୁକେଶଙ୍କ ମା’ ମୀରା ଦେବୀ। ମୁକେଶ ମା’ର ମୃତଦେହ ସଂସ୍କାର ପାଇଁ ନିଗମବୋଧ ଘାଟ ଶ୍ମଶାନର ଏଠାକୁ ସେଠାକୁ ଦୌଡୁଥିବାବେଳେ କେଉଁ ଠାରେ ପାଇ ନଥିଲେ। ମା’ର ମୃତଦେହକୁ ଖୋଜିବା ବେଳକୁ ସୁନ୍ନିଙ୍କ ଦ୍ବାରା ଏହା ସଂସ୍କାର ହୋଇସାରିଥିଲା। ଜୁନ୍‌ ୪ରେ ମୁକେଶଙ୍କ ମା’ ମୀରା ଦେବୀଙ୍କର ମୁଣ୍ଡବ୍ୟଥା ହେବାରୁ ମାଲବ୍ୟ ନଗର ହସ୍ପିଟାଲକୁ ନିଆଯାଇଥିଲା। ଏହାକୁ କରୋନା ଲକ୍ଷଣ କହି ଡାକ୍ତର ମୀରା ଦେବୀଙ୍କୁ ଏଲଏନଜେପି ହସ୍ପିଟାଲକୁ ପଠାଇଦେଇଥିଲେ। ଏଲଏନଜେପି ହସ୍ପିଟାଲର କେଉଁ ୱାର୍ଡ ଓ କେତେ ନମ୍ବର ଶଯ୍ୟାରେ ମୀରା ଦେବୀଙ୍କୁ ରଖାଗଲା ସେ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଗଲା ନାହିଁ। ଦିନକ ପରେ ମୁକେଶ ଜଣେ ସଫେଇ କର୍ମଚାରୀଙ୍କ ଠାରୁ ଜାଣିବାକୁ ପାଇଲେ ଯେ ତାଙ୍କ ମା ୨୭ ନମ୍ବର ୱାର୍ଡରେ ରହିଛନ୍ତି। କୌଣସି ପ୍ରକାରେ ସେ ମା’ଙ୍କ ସହିତ ଫୋନରେ କଥାହେବାରେ ସୁଯୋଗ ପାଇଲେ; ସେତେ ପର୍ଯ୍ୟନ୍ତ ତାଙ୍କୁ କୌଣସି ଖାଦ୍ୟ କିମ୍ବା ଔଷଧ ଦିଆଯାଇ ନଥିଲା। ଜୁନ୍‌ ୬ ତାରିଖ ସକାଳେ ଡାକ୍ତରଖାନା ସିଏମଓଙ୍କୁ ଅନୁରୋଧ କରି ମୁକେଶ ତାଙ୍କ ମା’ଙ୍କୁ ଚିକିତ୍ସା ଅନ୍ୟ ହସ୍ପିଟାଲକୁ ନେବାର ବ୍ୟବସ୍ଥା କରିଥିଲେ। ଅନୁରୋଧକୁ ସିଏମଓ ଗ୍ରହଣ କରିଥିଲେ। ମାତ୍ର ୧୦ ମିନିଟ୍‌ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ ଯେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇସାରିଛି। ପରେ ମା’ର ମୃତଦେହ ସଂସ୍କାର କରିବା ଲାଗି ମଧ୍ୟ ମୁକେଶ ସୁଯୋଗ ପାଇ ନଥିଲେ। ବିଭିନ୍ନ ଆମ୍ବୁଲାନ୍ସ ମାଧ୍ୟମରେ ମୃତଦେହକୁ ସମ୍ପୂର୍ଣ୍ଣ ଘୋଡାଯାଇ ସଂସ୍କାର ନିମନ୍ତେ ଶ୍ମଶାନକୁ ପଠାଇ ଦିଆଯାଉଥିଲା। ଏଠାରେ ପରିବାର ଲୋକ ମୃତଦେହକୁ ଦେଖିବାର କୌଣସି ସୁଯୋଗ ପାଉ ନଥିଲେ। ଯାହା ସବ୍ ଇନ୍ସପେକ୍ଟର ସୁନ୍ନି ଚନ୍ଦ୍ରା ଓ ମୁକେଶଙ୍କ କ୍ଷେତ୍ରରେ ଘଟିଗଲା। ସୁନ୍ନି ଚନ୍ଦ୍ରା ଦୁଇଟି ମୃତଦେହ ସଂସ୍କାର କରିଥିବାବେଳେ ମୁକେଶ ମା’ର ମୃତଦେହ ଦେଖିବା ଓ ସଂସ୍କାରରୁ ବଞ୍ଚିତ ହୋଇଥିଲେ। ଏହା ହେଉଛି ଦିଲ୍ଲୀର ବିଭିନ୍ନ ହସ୍ପିଟାଲର ଅବ୍ୟବସ୍ଥା ଓ କରୋନା ପରିଚାଳନାରେ ତ୍ରୁଟି। ଏହି ଅବ୍ୟବସ୍ଥାକୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି।

Comments are closed.