୨ ଦିନ ହେବ ପଡି ରହିଛି ମୃତଦେହ, ପରିଚୟ ନଥିବାରୁ ହୋଇ ପାରୁନି ଶେଷକୃତ୍ୟ

0

ନୂଆଦିଲ୍ଲୀ: ଗାଜିଆବାଦର ଇନ୍ଦିରାପୁରମ ଅଞ୍ଚଳରେ ଏକ ଘର ସମ୍ମୁଖରେ ଦୁଇ ଦିନରୁ ଏକ ମୃତଦେହ ପଡି ରହିଛି । ମୃତକଙ୍କ ପରିଚୟ ମିଳି ନ ଥିବାରୁ ଶେଷକୃତ୍ୟ ସମ୍ପନ୍ନ ହୋଇପାରି ନାହିଁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗାଜିଆବାଦର କାମନା ସୋସାଇଟିରେ ରହୁଥିବା ମର୍ଚାଣ୍ଟ ନେଭିରେ କାର୍ଯ୍ୟରତ ସୁଲତାନ୍ ଅହମ୍ମଦଙ୍କ ଆମେରିକାର ବୋଷ୍ଟନ ସହରରେ କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏନେଇ ଅକ୍ଟୋବର ୧ ତାରିଖରେ ସୁଲତାନଙ୍କ ଦୁଇ ଜଣ ସାଙ୍ଗ ତାଙ୍କ ପରିବାରକୁ ଖବର କରିଥିଲେ । ବିଷାକ୍ତ ଗ୍ୟାସ ଲିକ୍ ହେବା କାରଣରୁ ସୁଲତାନଙ୍କ ଆମେରିକାରେ ମୃତ୍ୟୁ ଘଟିଥିବା ବୋଲି ତାଙ୍କ ସାଙ୍ଗ କହିଥିଲେ । ମୃତଦେହକୁ ଆମେରିକାରୁ ଭାରତ ଆଣିବା ପାଇଁ ସୁଲତାନଙ୍କ ପରିବାର ଲୋକ ବିଦେଶ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଅନୁରୋଧ କରିଥିଲେ ।

ରବିବାର ଦିନ ଏକ ଆମ୍ବୁଲାନ୍ସରେ ମୃତଦେହ ସୁଲତାନଙ୍କ ଘର ନିକଟରେ ପହଞ୍ଚି ଥିଲା । ହେଲେ ମୃତଦେହଟି ଏତେ ଖରାପ ହୋଇଯାଇଥିଲା ଯେ, ତାହା ସୁଲତାନଙ୍କ ମୃତଦେହ ବା ଅନ୍ୟ କାହାର ଜାଣିବା ସମ୍ଭବ ନଥିଲା। ତେଣୁ ସୁଲତନାଙ୍କ ପରିବାର ଲୋକ ଏହି ମୃତଦେହକୁ କବର ଦେଇନାହାନ୍ତି । ଯେପର୍ଯ୍ୟନ୍ତ ପ୍ରଶାସନ ଦ୍ବାରା ମୃତଦେହର ବ୍ୟବଚ୍ଛେଦ ଏବଂ ଡିଏନଏ ପରୀକ୍ଷା ହୋଇ ପ୍ରମାଣ ନ ହୋଇଛି ସେପର୍ଯ୍ୟନ୍ତ ମୃତଦେହ କବର ଦିଆଯିବ ନାହିଁ ବୋଲି ସୁଲତାନଙ୍କ ପରିବାରଲୋକ କହିଛନ୍ତି ।

ମୃତଦେହର ବ୍ୟବଚ୍ଛେଦ ଏବଂ ଡିଏନଏ ପରୀକ୍ଷା ପାଇଁ ସୁଲତାନଙ୍କ ପରିବାରଲୋକଙ୍କୁ ଥାନାଠୁଁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚକ୍କର କାଟିବାକୁ ପଡିଛି । ହେଲେ କୌଣସି ସୁଫଳ ମିଳିନାହିଁ । ମୃତଦେହଟି ଘର ଦୁଆର ମୁହଁରେ ସେମିତି ପଡି ରହିଛି । ପୁଲିସ ଏବଂ ପ୍ରଶାସନ ନିକଟରେ ଏନେଇ ସୂଚନା ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ମୃତଦେହଟିକୁ ଦେଖିବାକୁ ଆସି ନାହାନ୍ତି ବୋଲି ସୁଲତାନଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି ।

Leave A Reply