ଶବଦାହ ପାଇଁ ପ୍ରତିବନ୍ଧକ ସାଜିଛି ଜାତିଆଣ ପ୍ରଥା, ଦୁଇ ଦିନରୁ ପଡ଼ିରହିଛି ମୃତଦେହ

କଳାବାଡିଆ: ଶବକୁ ମିଳୁନି ନ୍ୟାୟ। ଶବଦାହ ପାଇଁ ଜାତିଆଣ ପ୍ରଥା ପ୍ରତିବନ୍ଧକ ସାଜିଛି । ବରପକ୍ଷରୁ କନିଆଁ ପକ୍ଷକୁ ଆଦିବାସୀ ସମ୍ପ୍ରଦାୟର ନୀତିନିୟମ ଏବଂ ଚଳଣି ଅନୁଯାୟୀ ପଣ(ଜୋରିମନା) ଦେଇ ପାରିନଥିବାରୁ ତିନି ଦିନ ଧରି ଘରେ ମହିଳାଙ୍କ ମୃତଦେହ ପଡିରହିଛି । ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା କୁଚେଇ ଠାରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସ୍ଥାନୀୟ ଆଦିବାସୀ ଯୁବକ କାନ୍ଦ୍ରା ସୋରେନ ପାର୍ବତୀ ନାମକ ଜଣେ ମହିଳାଙ୍କୁ ପ୍ରେମବିବାହ କରିଥିଲେ । କିନ୍ତୁ କିଛିଦିନ ହସଖୁସିରେ ସଂସାର ଆଗକୁ ବଢି ଆସୁଥିବା ବେଳେ ଅଚାନକ ପାର୍ବତୀଙ୍କ ଦେହ ଅସୁସ୍ଥ ହୋଇଥିଲା। ପାର୍ବତୀଙ୍କ ଗରିବ ସ୍ୱାମୀ କାନ୍ଦ୍ରା ଯଥା ସମ୍ଭବ ଚିକିତ୍ସା କରାଇଥିଲେ ମଧ୍ୟ ପାର୍ବତୀଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଇଥିଲା ଏବଂ ଶେଷରେ ପାର୍ବତୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଆଦିବାସୀ ସମ୍ପ୍ରଦାୟର ରହିଥିବା ପ୍ରଥା ଅନୁସାରେ ବିବାହ ସମୟରେ ବରପକ୍ଷ କାନ୍ଦ୍ରାର ପରିବାର ପକ୍ଷରୁ କନ୍ୟା ଘରକୁ ପଣ ଦେବାର ପ୍ରଥା ରହିଛି । ତେବେ ପଣ ହିସାବରେ ଗାଈ, ବଳଦ, ହାଣ୍ଡିଆ ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ। ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୨୦ ହଜାର ଟଙ୍କା ହେବ। ହେଲେ କାନ୍ଦ୍ରା ସୋରେନ ପଣ ଦେଇ ପାରି ନଥିଲେ । ଫଳରେ କନ୍ୟାପକ୍ଷ ଏବଂ ଗ୍ରାମବାସୀ ଶବଦାହରେ ଅସହଯୋଗ କରିଥିଲେ । ଘଟଣା ପ୍ରଘଟ ହେବାରୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

କୌଣସି ସୂତ୍ରରୁ ଖବରପାଇ କୁଳିଅଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରି ସମାଧାନ କରିବାକୁ ପ୍ରୟାସ ଚଳାଇ ଶବଦାହ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ଅତିରିକ୍ତ ଏସପି ସେଠାରେ ପହଞ୍ଚି ଘଟଣାର ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଉଭୟ ପକ୍ଷଙ୍କ ସହମତିରେ ଆଦିବାସୀ ସମ୍ପ୍ରଦାୟର ଚଳଣି ଅନୁଯାୟୀ ଶବଦାହ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠେଇ ଦେଇଛନ୍ତି ।

Comments are closed.