୧୨ ଘଣ୍ଟାରୁ ଅଧିକ ସମୟ ଧରି ପଡି ରହିଛି ମୃତଦେହ ; ଗ୍ରହଣ କରୁନି ପରିବାର

ନବରଙ୍ଗପୁର : ୧୨ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡି ରହିଥିବା ବେଳେ ପରିବାର ଲୋକ ଏହାକୁ ଗ୍ରହଣ କରୁ ନାହାଁନ୍ତି । ଶବ ବ୍ୟବଚ୍ଛେଦ ପରେ ପୁଲିସ ପଠାଇଥିବା ମୃତଦେହ ଦାଣ୍ଡରେ ପଡି ରହିଥିବା ବେଳେ ମହାପ୍ରୟାଣ ଗାଡ଼ିକୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ବଡ଼ପଞ୍ଜୁରିଆ ଗାଁରେ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ବିନ୍ଧାଣୀ ।

ସୂଚନାଯୋଗ୍ୟ, କୌଣସି କାରଣରୁ ଦୁଇ ଦିନ ପୂର୍ବେ କୋଡିଙ୍ଗା ପୁଲିସ ଗୋବର୍ଦ୍ଧନକୁ ଥାନାକୁ ଉଠାଇ ନେଇଥିଲା। ପରିବାର ଲୋକ ଥାନା ଓ ଜିଲା ମେଡିକାଲକୁ ଯାଇ ଚକ୍କର କାଟିଥିଲେ ମଧ୍ୟ ଗୋବର୍ଦ୍ଧନଙ୍କ କୌରସି ଖୋଜ ଖବର ମିଳିନଥିଲା । ପରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଖବର ମିଳିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କ ନିକଟକୁ ପଠାଇଥିଲା। ତେବେ ଗୋବର୍ଦ୍ଧନ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ଦୁଇ ଦିନ ଧରି ଗୋବର୍ଦ୍ଧନ କେଉଁଠି ଥିଲେ ଏବଂ ତାଙ୍କ ମୃତ୍ୟୁ ପଛରେ କ’ଣ କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟରେ ପୁଲିସ ମାଡରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଛି ବୋଲି ପରିବାରଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସହ ଗୋବର୍ଦ୍ଧନଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବା ଏବଂ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ନିଲମ୍ବନ ଦାବି କରିଛନ୍ତି । ସନ୍ଧ୍ୟା ୬ଟା ପରେ ନବରଙ୍ଗପୁର ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଉ ନଥିବା ବେଳେ ପୁଲିସ ତରବରିଆ ଭାବରେ ରାତି ୮ଟା ପରେ କିପରି ଓ କାହିଁକି ବ୍ୟବଚ୍ଛେଦ କରାଇଲା ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି ।

Comments are closed.